ସିଭିଲଟାଉନ୍‌ସିପ୍‌ ବିବାଦିତ ପ୍ଲଟ ଆବଣ୍ଟନ ମାମଲା: ବଢ଼ିଲା ବ୍ୟବସାୟୀଙ୍କ ଅଡୁଆ, ମାମଲାର ଶୁଶାଣି କଲେ ରାଜସ୍ୱ ସଚିବ

ରାଉରକେଲା : ସହରର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପ୍‌ର ମୂଲ୍ୟବାନ ପ୍ଲଟକୁ ଜଣେ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ଟେକି ଦେବା ଘଟଣାରେ ଶୁଣାଣି ଆରମ୍ଭ ହୋଇଛି। ଫଳରେ ବଢ଼ିଛି ବ୍ୟବସାୟୀଙ୍କ ଅଡୁଆ। ରାଜସ୍ବ ସଚିବ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିସ୍ତୃତ ଭାବେ ବିବାଦିତ ଜମି ମାମଲାର ଶୁଣାଣି କରିଛନ୍ତି। କନ୍‌ଫରେନସିଂରେ ସାମିଲ ହୋଇଥିଲେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ସାହୁ, ମାମଲାର ପକ୍ଷକାର (ପିଟିସନର) ରାମଚନ୍ଦ୍ର କୁଣ୍ଡୁ, ତାଙ୍କ ଓକିଲ ପ୍ରଦୀପ ଜେନା, ବାର ଆସୋସିଏସନ୍‌ର ସଭାପତି ରମେଶ ବଳ ଓ ବ୍ୟବସାୟୀଙ୍କ ପ୍ରତିନିଧି ଆର୍‌.କେ. ଦାସ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଭିଜିଲାନ୍ସ ଜାଲରେ ପଡିଥିବା ସୁନ୍ଦରଗଡ଼ ଏଡିଏମମ୍‌ ବିଶ୍ବଜିତ୍‌ ମହାପାତ୍ର, ପର୍ଯ୍ୟଟନ ସଚିବ, ଇଡ୍‌କୋ ସିଏମ୍‌ଡି ମଧ୍ୟ ସାମିଲ ହୋଇଥିଲେ। ପ୍ରଥମେ ପିଟିସନ୍‌ର ରାମଚନ୍ଦ୍ର କୁଣ୍ଡୁ ଓ ତାଙ୍କ ଓକିଲ ପ୍ରଦୀପ ଜେନା ଇ୍ଡ଼୍‌କୋକୁ ମାଲିକାନାସତ୍ବ ମିଳି ନଥିବାବେଳେ ବେଆଇନ ଭାବେ ମୂଲ୍ୟବାନ ଜମିକୁ ବ୍ୟବସାୟୀଙ୍କୁ ଟେକି ଦିଆଯାଇଛି। ଯାହାର ବଜାର ମୂଲ୍ୟ ୫୦ ଲକ୍ଷ। ସରକାରୀ ମୂଲ୍ୟ ଡେସମିଲ ପ୍ରତି ୧୩ ଲକ୍ଷ। ଏମିତି ମୂଲ୍ୟବାନ ଜମିକୁ ଇଡ଼୍‌କୋ ଶାଗମାଛ ମୂଲ୍ୟରେ ରିଲାଏବୁଲ ଇନ୍‌ଫ୍ରାର ମାଲିକ ଅରୁଣ ଦୁଆକୁ ଦେଇ ଦିଆଯାଇଛି ବୋଲି କହିଥିଲେ। ଯାହା ସମ୍ପୂର୍ଣ୍ଣ ବେଆଇନ। ସେମିତି ଯେଉଁ ବିବାଦିତ ପ୍ଲଟ ଅଦ୍ୟାବଧି ଇଡ୍‌କୋକୁ ମିଳି ନାହିଁ । ତାହାକୁ କେମିତି ବ୍ୟବସାୟିକ ସଂସ୍ଥା ଘେରାବନ୍ଦୀ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଅରୁଣ ଦୁଆଙ୍କ ପ୍ରତିନିଧି ଭାବେ ଆର୍‌.କେ. ଦାସ ମଧ୍ୟ ନିଜର ପକ୍ଷ ରଖିଥିଲେ। ପ୍ରଶାସନ ଅଧିକାରୀ କ୍ଷମତାକୁ ଅପବ୍ୟବହାର କରି ଏମିତି ବେଆଇନ କାମ କରିଛନ୍ତି ବୋଲି କହିଥିଲେ। ରାଜସ୍ବ ସଚିବ ପ୍ରତ୍ୟେକଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟ ହାଇକୋର୍ଟରେ ଦାଖଲ କରିବେ। ମାମଲାର ବିଚାର କରି ହାଇକୋର୍ଟ କି ରାୟ ଦେଉଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ରାଉରକେଲା ସିଭିଲଟାଉନସିପ୍‌ ଟାଉନ୍‌ ୟୁନିଟ୍‌ ୪୧/୪୨ରେ ଥିବା ପ୍ରାୟ ୧.୨୫ ସରକାରୀ ଏକର ଜମିକୁ ଏଲ୍‌ଏସି (ଲ୍ୟାଣ୍ଡ ଆଲଟମେଣ୍ଟ କମିଟି) ଗତ ୨୦୧୪ ସେପ୍ଟେମ୍ବର ୨୦ରେ ଇଡ଼୍‌କୋ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ସେହି ଜମିରେ କମ୍ପ୍ରେହେନ୍‌ସିଭ୍‌ ‌‌ଡେଭଲପମେଣ୍ଟ ପ୍ଲାନ (ସିଡିପି) ଅନୁଯାୟୀ ଇଡ୍‌କୋ ଟାୱାର ନିର୍ମାଣ କରିବାର ସର୍ତ୍ତ ରଖାଯାଇଥିଲା। ସେହି ଟାୱାରରେ ସରକାରୀ ଓ ବେସରକାରୀ ଅଫିସ୍‌ ରହିବ। ୧.୨୫ ଏକର ଜମିରୁ ୨୦% କାର୍ପେଟ ଏରିଆକୁ ବିନାମୂଲ୍ୟରେ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ରାଉରକେଲାଙ୍କୁ ଦେବାକୁ ମଧ୍ୟ ସର୍ତ୍ତ ରହିଥିଲା। ଲିଜ୍‌ କେସ୍‌ ନଂ ୧୧/୨୦୧୪ରେ ତହସିଲଦାର ରାଉରକେଲା ଲିଜ୍‌କୁ ମଞ୍ଜୁରି କରିଥିଲେ। ମାତ୍ର ଇଡ଼୍‌କୋ ଉକ୍ତ ଲିଜ୍‌ ଜମିକୁ ଉପଯୋଗ କରି ନଥିଲେ। ଗତ ୨୦୨୧ ଜାନୁଆରି ୧୯ରେ ଜିଲ୍ଲାପାଳ ସୁନ୍ଦରଗଡ ତାଙ୍କ ଚିଠି ସଂଖ୍ୟା ୫୩୪ଏକ୍ସଭିଆ-୨୫/୨୧ ଜରିଆରେ ରାଉରକେଲା ତହସିଲଦାରଙ୍କୁ ଉକ୍ତ ଲିଜ୍‌ ଜମିକୁ ଆଗୁଆ ଦଖଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସର୍ତ୍ତାବଳୀକୁ ଅଣଦେଖା କରି ଇଡ୍‌କୋ କର୍ତ୍ତୃପକ୍ଷ ତାଙ୍କ ଚିଠି ନଂ ୪୪୨୭, ତା.୮.୩.୨୦୨୧ରେ ୪୦ ଡେସମିଲ୍‌ ପ୍ଲଟକୁ ଜଣେ ବ୍ୟବସାୟୀଙ୍କୁ ସ୍ବଳ୍ପ ମୂଲ୍ୟରେ ଟେକି ଦେଇଥିଲେ। ପୁଣି ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ଏକ ଚିଠି ନଂ ୯୨୬୬ ତା୨.୬.୨୦୨୧ରେ ବାକି ୬୦ ଡେସମିଲ୍‌କୁ ହୋଟେଲ ନିର୍ମାଣ ନାଁରେ ସେହି ବ୍ୟବସାୟୀଙ୍କୁ ଦିଆଯାଇଛି।

ତେବେ ଇଡ୍‌କୋ ଟାୱାର ପରି‌ବର୍ତ୍ତେ ଏଲ୍‌ଏସି ବିନା ବିଜ୍ଞାପନ, ନିଲାମରେ ଜଣେ ବ୍ୟବସାୟୀଙ୍କୁ କେଉଁ ଉଦ୍ଦେଶ୍ୟରେ ଜମି ଟେକି ଦେଇଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇଡ଼କୋ ୨୦୧୪ରୁ ଏଲ୍‌ଏସି ୧.୨୫ ଏକର ଜମି ପାଇଁ ଆବେଦନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କାହିଁକି ଲିଜ୍‌ ନେଇନଥିଲେ ? ହଠାତ୍‌ ତରବରିଆ ଭାବେ ମାର୍ଚ୍ଚ ମାସରେ ଏହାକୁ ଇଡ୍‌କୋକୁ କାହିଁକି ଲିଜ୍‌ ଦିଆଗଲା ? ଇଡ୍‌କୋ ଲିଜ୍‌ ପାଇବା ପରେ କେଉଁ ନିୟମ ଆଧାରରେ ବ୍ୟବସାୟୀଙ୍କୁ ସବ୍‌ଲିଜ୍‌ ଟେକି ଦେଲେ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଉଠିବା ସ୍ବାଭାବିକ। ସେପଟେ ଶାଗମାଛ ଦରରେ ମୂଲ୍ୟବାନ ପ୍ଲଟକୁ ଟେକି ଦେଇଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି।

ସମ୍ବନ୍ଧିତ ଖବର