ଜଗତସିଂହପୁର ଟାଉନ୍ : ସ୍ୱର୍ଗତ ବିଷ୍ଣୁ ଦାସ ଥିଲେ ଜଣେ ଦରଦୀ ଜନନେତା। ସିଏ ଲଗାତାର ଭାବେ କ୍ଷମତାରେ ରହି ମଧ୍ୟ ଗରିବ, ଦଳିତ ଲୋକଙ୍କ ପାଇଁ ଅହରହ କାମ କରୁଥିଲେ। ଜଗତସିଂହପୁର ସ୍ବତନ୍ତ୍ର ଜିଲ୍ଲା ଗଠନ ପଛରେ ତାଙ୍କର ଉଦ୍ୟମ ରହିଛି। ଜିଲ୍ଲା ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଆଜି ଜିଲ୍ଲାସ୍ତରୀୟ ନାଗରିକ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି ରୋମନ୍ଥନ କରି ଉପସ୍ଥିତ ମନ୍ତ୍ରୀ, ବିଧାୟକ, ମାନ୍ୟଗଣ୍ୟ ବ୍ୟକ୍ତି ଏଭଳି ବକ୍ତବ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସ୍ୱର୍ଗତ ଦାସଙ୍କ ପାଇଁ ଶୋକବାର୍ତ୍ତା ପଠାଇଛନ୍ତି।
ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ଏକାଦଶାହ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାବାସୀଙ୍କ ପକ୍ଷରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ବରେ ଏହି ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ବିଷ୍ଣୁଦାସଙ୍କୁ ଜଣେ ଲଢୁଆ ନେତା ଭାବେ ବର୍ଣ୍ଣନା କରିଥିବା ବେଳେ ମନ୍ତ୍ରୀ ରଘୁନନ୍ଦନ ଦାସ ଜିଲ୍ଲା ଜଣେ ବରପୁତ୍ରଙ୍କୁ ହରାଇଲା ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପାରାଦୀପ ପୌର ପରିଷଦର ପୂର୍ବତନ ପୌରଧ୍ୟକ୍ଷ ବସନ୍ତ ବିଶ୍ବାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ବାଳ, ରାଜ୍ୟ ସାଧାରଣ ସମ୍ପାଦିକା କନକପ୍ରଭା ଲେଙ୍କା, ପୂର୍ବତନ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ମହାନ୍ତି, କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, କଂଗ୍ରେସ ନେତା ବିଷ୍ଣୁ ଚରଣ ବାରିକ, ପ୍ରସନ୍ନ ସାମନ୍ତରା, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ବିଭୂ ପ୍ରସାଦ ତରେଇ, ଉପେନ୍ଦ୍ର ବିଶ୍ବାଳ, ସୌଭାଗ୍ୟ ମହାନ୍ତି, ବୁଦ୍ଧିଜୀବୀ ବିନାୟକ ପଟ୍ଟନାୟକ, ଆଇନଜୀବୀ ରବୀନ୍ଦ୍ର ମହାନ୍ତି, ରାଜ କିଶୋର ଖଟୁଆ, ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା, ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ବପ୍ନା ସରିତା ବଳ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ବିଜେଡି ଜିଲ୍ଲା ଉପସଭାପତି ଦୀପ୍ତି ଦାସ ପାଠ କରିଥିଲେ।
ବିଷ୍ଣୁ ଦାସଙ୍କ ପୈତୃକ ଘରକୁ ଆସି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଏଥିସହ ଜଗତସିଂହପୁର ବ୍ଲକ୍ ଓ ତିର୍ତୋଲ ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରେ ଅପରାହ୍ନ ୩ଟାରୁ ୫ଟା ଭିତରେ ଶ୍ରଦ୍ଧାଞ୍ଜଳି ସଭା ସାମାଜିକ ଦୂରତାକୁ ପାଳନ କରି ଆୟୋଜନ କରାଯାଇଥିଲା। ଏଥିସହ ଜଗତସିଂହପୁର ପୌରାଞ୍ଚଳ ସମେତ ସମସ୍ତ ବ୍ଲକ୍ ସ୍ତରରେ ବିଷ୍ଣୁ ଦାସଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/bishnu-das.jpg)
