ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲାର ଉପର ମୁଣ୍ଡରେ ଥିବା ଦନ୍ତା ନଦୀ ଉପତ୍ୟକାର ଭଟଲି ନିକଟରୁ ପୁରାତନ ପ୍ରସ୍ତର ଯୁଗର ମାନବ ସଭ୍ୟତାର ଅବସ୍ଥିତି ଠାବ କରାଯାଇଛି। ପ୍ରଫେସର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ବିଭାଗର ସଂଯୋଜିକା ଡ. ନୀନା ଠାକୁର, ନବୀନ କୁମାର ସାହୁ ସଂଗ୍ରହାଳୟର କ୍ୟୁରେଟର କ୍ଷୀରସିନ୍ଧୁ ବାରିକଙ୍କ ସହିତ ରିସର୍ଚ୍ଚ ସ୍କଲାର, ପ୍ରତ୍ନତାତ୍ତ୍ୱିକ ଶ୍ରେଣୀ ଚତୁର୍ଥ ସେମିଷ୍ଟର ଛାତ୍ରଛାତ୍ରୀମାନେ ଏହି ଖନନରେ ସାମିଲ ହୋଇଥିଲେ। ପ୍ରସ୍ତର ଯୁଗର ପ୍ରାକ୍‌ ଓ ଉତ୍ତର ସମୟର କଳାକୃତି, ଅବଶେଷ ଆଦି ଖନନ ସମୟରେ ଠାବ କରାଯାଇଛି।

Advertisment

ଡେବ୍ରିଗଡ଼ ପର୍ବତମାଳାର ଦକ୍ଷିଣ ଦିଗରେ ଦନ୍ତା ନଦୀକୂଳ ଓ ଭଟଲି ନିକଟସ୍ଥ ତରାଜଙ୍ଗା ଗ୍ରାମରେ ଗବେଷକମାନେ ନିରନ୍ତର ଅନୁସନ୍ଧାନ ସମୟରେ ସେ ଯୁଗର ଅବଶେଷ ଠାବ କରିଛନ୍ତି। ନିରନ୍ତର ବୈଜ୍ଞାନିକ ପରୀକ୍ଷା ଓ ଖନନ ସମୟରେ ମିଳିଥିବା ନମୁନାକୁ ଲକ୍ଷ୍ନୌର ବୀରବଲ୍‌ ସାହାଣୀ ଇନ୍‌ଷ୍ଟିଚ୍ୟୁଟ ଅଫ ପାଲାଓସାଇନ୍ସ ଏବଂ ପୁନେର ଫାଇଥୋଲିଥ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ପରୀକ୍ଷା କରାଯାଇଥିଲା। ଅପ୍ଟିକାଲି ଷ୍ଟିମୁଲେଟେଡ଼ ଲ୍ୟୁମିନସେନ୍ସସ(ଓଏସ୍‌ଏଲ୍‌) ପଦ୍ଧତି ଓ ଖନନ ଇଲାକାର ସମସାମୟିକ ସବୁଜିମା ଆଧାର ଶୈଳୀରେ ପରୀକ୍ଷା କରାଯାଇଥିଲା। ଏଥିରୁ ସଂଗ୍ରହ କରାଯାଇଥିବା ଅବଶେଷଗୁଡ଼ିକ ୬୫ ହଜାର ବର୍ଷ ପୁରାତନ ମଧ୍ୟ ପ୍ରସ୍ତର ଯୁଗ ଓ ୨୫ ହଜାର ବର୍ଷ ପୁରାତନ ଉତ୍ତର ପ୍ରସ୍ତର ଯୁଗ ସମୟର ବୋଲି ଜଣାପଡ଼ିଛି। ଏହି ଗବେଷଣା ଓ ମୃତ୍ତିକା ପରୀକ୍ଷାରୁ ଦନ୍ତା ନଦୀ କୂଳରେ ଥିବା ଜଙ୍ଗଲ ଭୂମି ଆଧାରିତ ସଭ୍ୟତା କୃଷି ଆଧାରିତ ସବୁଜିମା ଶୈଳୀର ପ୍ରକାରକୁ ପରିବର୍ତ୍ତିତ ହୋଇଥିବା ଜଣାପଡ଼ିଛି। ପୁରାତନ ପ୍ରସ୍ତର ଯୁଗ ଓ ଉତ୍ତର ପୁରାତନ ପ୍ରସ୍ତର ଯୁଗ ସମୟରେ ସେହି ଜାଗାରେ ମାନବ ସଭ୍ୟତା ଥିବା ମଧ୍ୟ ଉଚ୍ଚତର ଗବେଷଣାରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସେହି ସ୍ଥାନରୁ ଗେରୁଆ - ଆଇରନ ଅକ୍ସାଇଡରେ ନିର୍ମିତ ଶିଳ, ଦୁଇଟି ବ୍ୟବହୃତ ଶିଳପୁଆ, ପିଷାଣ ପ୍ରଭୃତି ସାମଗ୍ରୀ ବି ଉଦ୍ଧାର କରାଯାଇଛି । ତରାଜଙ୍ଗାରେ ସେତେବେଳେର ମାନବ ସଭ୍ୟତାରେ ଉତ୍ତର ପୁରାତନ ପ୍ରସ୍ତର ଯୁଗ ସମୟରେ ବାଣିଜ୍ୟିକ ଓ ଅନ୍ୟ ବିନିମୟ ସମ୍ପର୍କ ବିକଶିତ କରିବାର କ୍ଷମତା ରହିଥିବା ଅନୁଶୀଳନରେ ଜଣାପଡ଼ିଛି ।

publive-image

ଆଗକୁ ବରଗଡ଼ ଜିଲ୍ଲାର ଉପର ମୁଣ୍ଡରେ ସଘନ ଅନୁସନ୍ଧାନ କରାଗଲେ ପୁରାତନ ଯୁଗର ଅବସ୍ଥିତି ବାବଦର ଅନେକ ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ପ୍ର. ବେହେରା ସୂଚନା ଦେଇଛନ୍ତି। ୨୦୧୫ ମସିହାରୁ ବିଭାଗ ପକ୍ଷରୁ ଏହି ଅନୁସନ୍ଧାନ, ଖନନ ଓ ଗବେଷଣା ଜାରି ରହିଛି। ସାଧାରଣତଃ ପୂର୍ବ ଆଫ୍ରିକାରେ ମଧ୍ୟ ପ୍ରସ୍ତର ଯୁଗର ମାନବ ସଭ୍ୟତାର ବିକାଶ ସମ୍ବନ୍ଧିତ ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ମରୋକ୍କୋରେ ହୋଇଥିବା ଆନୁବାଂଶିକ ଅନୁସନ୍ଧାନର ତଥ୍ୟ ଅନୁଯାୟୀ ମାନବ ସଭ୍ୟତା ସେଠାରୁ ପୃଥିବୀର ସମସ୍ତ ସ୍ଥାନକୁ ସମ୍ପ୍ରସାରିତ ହୋଇଥିଲା ବୋଲି ଗ୍ରହଣ କରାଯାଏ । ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କ୍ରମାଗତ ଅନୁସନ୍ଧାନ ଓ ଗବେଷଣା ଦ୍ୱାରା ଏଦିଗରେ ନୂଆ ଆନୁପାତିକ ସ୍ରୋତକୁ ଉଜାଗର କରିବାରେ ସହାୟକ ହୋଇଛି।