ତ୍ୱରିତ ଫୈସଲା ପାଇଁ ଆଇନଜୀବୀଙ୍କ ଉଦ୍ୟମ ଆବଶ୍ୟକ: ଜଷ୍ଟିସ ମିଶ୍ର

୧୮ କୋଟି ଟଙ୍କା ବ୍ୟୟରେ କଟକରେ ଆୟକର ଆପିଲେଟ ଟ୍ରିବୁନାଲ

ପ୍ରଧାନ ବିଚାରପତିଙ୍କ ଦ୍ୱାରା ଶିଳାନ୍ୟାସ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର, ଧର୍ମେନ୍ଦ୍ର ଉପସ୍ଥିତ

କଟକ : ଟ୍ରିବୁନାଲର ୬୫ ପ୍ରତିଶତ ରାୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ କାଏମ ରହୁଛି। କୌଣସି ମାମଲାର ସତ୍ୟାସତ୍ୟ ତର୍ଜମା କରି ରାୟ ପ୍ରକାଶ କରିବାରେ ଟ୍ରିବ୍ୟୁନାଲ ଚୂଡାନ୍ତ ଭୂମିକା ନେଇଥାଏ। ହାଇକୋର୍ଟ ମାମଲାରେ ଆଇନକୁ ନେଇ ରହିଥିବା ମୌଳିକ ପ୍ରଶ୍ନକୁ ତର୍ଜମା କରିଥାନ୍ତି। ତେଣୁ ଏପରି ପରିସ୍ଥିତିରେ ଆଇନଜୀବୀ ଓ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ଟ୍ରିବୁନାଲରେ ସଠିକ ଭାବେ ଉପସ୍ଥାପନ କରିବା ଉଚିତ। ଏବେ ଟ୍ରିବୁନାଲର ସ୍ଥିତିରେ ବହୁତ ଉନ୍ନତି ଆସିଛି, ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ତ୍ୱରିତ ନ୍ୟାୟ ପାଇଁ ଆଇନଜୀବୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ ବୋଲି ଆୟକର ଆପିଲେଟ ଟ୍ରିବୁନାଲର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି।

ଏହି ଆୟକର ଆପିଲେଟ ଟ୍ରିବୁନାଲ ପାଇଁ ରାଜ୍ୟସରକାର ବିନା ମୂଲ୍ୟରେ ଜମି ଯୋଗଇଦେଇଛନ୍ତିା ଦେଶରେ ଏହା ପ୍ରଥମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦର ପାତ୍ର। ସେହିପରି କେନ୍ଦ୍ର ସରକାର ସୌଧ ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି,ତେଣୁ ସେ ମଧ୍ୟ ଧନ୍ୟବାଦର ପାତ୍ର ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ଏହି ସମସ୍ତ ପ୍ରକ୍ରିୟାରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଜଷ୍ଟିସ ମିଶ୍ର କହିଥିଲେ।

କଟକ ଜୁଡିସିଆଲ ଏକାଡେମୀ ପରିସରରେ ଆୟୋଜିତ ଆଇଟିଏଟି ଶିଳାନ୍ୟାସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ୧୦ ବର୍ଷ ଧରି ଉଭୟ ସୁପ୍ରିମକୋର୍ଟ ଏବଂ ରାଜ୍ୟ ହାଇକୋର୍ଟଗୁଡିକରେ ବହୁ ସଂଖ୍ୟାରେ ମାମଲା ବିଚାରଧୀନ ରହିଛି। ଏଗୁଡିକର ଫଇସଲା ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ଗତ ଦୁଇବର୍ଷ ମଧ୍ୟରେ ଦେଶରେ କରଦାତାଙ୍କ ସଂଖ୍ୟା ବଢିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି। ୧୩୦ କୋଟି ଲୋକଙ୍କ ମଧ୍ୟରୁ ୩ କୋଟି ୭୦ ଲକ୍ଷ କରଦାତା ଟିକସ ଦେଉଥିବା ବେଳେ ଏମାନଙ୍କ ମଧ୍ୟରେ ଏକ ଲକ୍ଷ ୭୦ହଜାର ଲୋକଙ୍କର ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ। ତେଣୁ ଦେଶ ଗଠନରେ ଜନସାଧାରଣ ଟିକସ ଦେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି। ଆୟକର ଆପିଲେଟ ଟ୍ରିବୁନାଲକୁ ଜମି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ପ୍ରଦାନ କରିଥିଲେ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଭୂମିପୂଜନ ସମାରୋହରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଆଇନଜୀବୀମାନେ ଆୟକର ସଂପର୍କିିତ ନୂଆ ଆଇନ ବିଷୟରେ ଅଧିକ ଅଧୟନ ଓ ଅନୁଧ୍ୟାନ କରି କରଦାତ୍ତାଙ୍କୁ ଉପଯୁକ୍ତ ଆଇନ ସହାୟତା ପ୍ରଦାନ କରିପାରିବେ। ଅନ୍ୟତମ ଅତିଥିଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,ଆୟକର ଆପିଲେଟ ଟ୍ରିବୁନାଲରେ ସମସ୍ତ ଟିକସ ସମ୍ପର୍କିତ ସମସ୍ୟାର ସମାଧାନ ହେବ। ସେହିପରି ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଆଇଓସିଲ ମାମଲାରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ଆପୋଷ ଆଲୋଚନା ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଯୁବଗୋଷ୍ଠୀ ରାଜ୍ୟର ବିକାଶ ପାଇଁ ଆଗେଇଆସିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଥିବାବେଳେ ବୌଦ୍ଧିକ କ୍ଷମତା ଯୋଗୁ ବ୍ୟକ୍ତି ଉଚ୍ଚସ୍ତରରେ ପହଞ୍ଚି ପାରିବ ବୋଲି କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ,ରାଜ୍ୟ ହାଇକୋର୍ଟରେ ଏକାଧିକ ବିଚାରପତି ପଦ ଖାଲି ପଡିଛି। ଫଳରେ ମାମଲା ବିଳମ୍ବିତ ହେଉଛି। ଏଣୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ସେହିପରି ରାଜ୍ୟରେ ଗ୍ରୀନ ଟ୍ରିବୁନାଲର ବେଞ୍ଚ ସ୍ଥାପନ ପାଇଁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଥିଲେ। ଏହି ଶିଳାନ୍ୟାସ ସମାରୋହରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ,ଆୟକର ଆପିଲେଟ ଟ୍ରିବୁନାଲର ଅଧ୍ୟକ୍ଷ ଜି.ଡି. ଅଗ୍ରଓ୍ଵାଲ, ଉପାଧ୍ୟକ୍ଷ ଆର.ଏସ.ସାୟଲ,କେନ୍ଦ୍ର ଆଇନ ସଚିବ ସୁରେଶ ଚନ୍ଦ୍ର,ରାଜ୍ୟ ଟ୍ୟାକ୍ସ ବାର ଆସୋସିଏସନର ସାଧାରଣ ସମ୍ପାଦକ ବାସୁଦେବ ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ସେହିପରି ଆୟୋଜିତ ଉତ୍ସବରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରମା ମିଶ୍ର, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରତିଭା ପଟ୍ଟନାୟକ,ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କ ଧର୍ମପତ୍ନୀ ଶ୍ରୀମତୀ ଉମା ସରନ, ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି, କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଡକ୍ଟର ଜଷ୍ଟିସ୍‌ ଅକ୍ଷୟ କୁମାର ରଥ, ଡକ୍ଟର ଜଷ୍ଟିସ୍‌ ବି.ଆର୍‌. ଷଡ଼ଙ୍ଗୀ, ଜଷ୍ଟିସ୍‌ ଜେ.ପି.ଦାସ, ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର, ଜଷ୍ଟିସ୍‌ ଏସ୍‌.ଏନ୍‌.ପ୍ରସାଦ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ, ଡକ୍ଟର ଜଷ୍ଟିସ୍‌ ଡି.ପି.ଚୌଧୁରୀ, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ୍‌ ଏସ୍‌.କେ. ମିଶ୍ର, ଜଷ୍ଟିସ୍‌ ବି.କେ. ନାୟକ, ରାଜ୍ୟ ମାନବାଧିକାରୀ କମିସନ ଅଧ୍ୟକ୍ଷ ଜଷ୍ଟିସ୍‌ ବୀରକିଶୋର ମିଶ୍ର, ଅବସରପ୍ରାପ୍ତ ବିଚାରଚପତି ଜଷ୍ଟିସ୍‌ ବି.ଏନ୍‌. ମହାପାତ୍ର, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଆଡ୍‌ଭୋକେଟ୍‌ ଜେନେରାଲ୍‌ ସୂର୍ଯ୍ୟପ୍ରସାଦ ମିଶ୍ର, ହାଇକୋର୍ଟ ବାର ଆସୋସିଏସ୍‌ନ ସଭାପତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜାଙ୍କ ସମେତ ହାଇକୋର୍ଟ ଓ ଜିଳ୍ଲା ପ୍ରଶାସନର ପଦାଧିକାରୀମାନେ ଯୋଗଦେଇଥିଲେ। ଆୟକର ଆପିଲିୟ ପ୍ରାଧିକରଣ ଅଧ୍ୟକ୍ଷ ଜି.ଡି.ଅଗ୍ରଓ୍ଵାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଆର୍‌,ଏସ୍‌.ସାୟାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପିକା ସୁଲଗ୍ନା ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏଠାରେ ସୂଚନା ଯୋଗ୍ୟ, ଆୟକର ଆପିଲିୟ ପ୍ରାଧିକରଣ ପୀଠ ପାଇଁ ରାଜ୍ୟ ସରକାର ୧.୬୧ଏକର (୭୨ହାଜର ବର୍ଗଫୁଟ୍‌) ଜମି ପ୍ରଦାନ କରିଛନ୍ତି। ଏଥି ପାଇଁ ମୋଟ୧୫କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ପ୍ରାଥମିକ ଅବସ୍ଥାରେ ୧୧କୋଟି ୩୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୨୦୧୯ ଏହି କାର୍ଯ୍ୟ ସଂପୂର୍ଣ ହେବ।

ସମ୍ବନ୍ଧିତ ଖବର