ଦଣ୍ଡକାମନା ଘରକୁ ୧ ଲକ୍ଷ ଟଙ୍କା ଓ ଦଣ୍ଡ କଳାକାରଙ୍କୁ କଳାକାର ଭତ୍ତା ଦାବି

ଫୁଲବାଣୀ : କେତେକ ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ରୋକିବା ଲାଗି ପୁନର୍ବାର କରୋନା କଟକଣା ଜାରି କରାଯାଇଛି। ଏ ନେଇ ରାଜ୍ୟରେ ଜନସମାବେଶ ଓ ପର୍ବପର୍ବାଣୀ ଉପରେ କଟକଣା ଲଗାଯାଇଛି। ନିକଟରେ ମହାଶିବରାତ୍ରୀ ଉଦ୍ଦେଶ୍ୟରେ ଅନେକ ଶିବ ମନ୍ଦିରରେ ୧୪୪ ଧାରା ଜାରି କରା ଯାଇଥିଲା। ତେବେ କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ଦଣ୍ଡୁଆଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ଅନୁମତି ପ୍ରଦାନ କରିବାକୁ ଆଜି ଶତାଧିକ ଦଣ୍ଡୁଆ ଓ ଦଣ୍ଡନାଚ କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କନ୍ଧମାଳ ଜିଲ୍ଲାରେ ବିଗତ ଶହେ ବର୍ଷ ଧରି ପାରମ୍ପରିକ ଭାବେ ଗଣପର୍ବ ଦଣ୍ଡନାଚ ଅନୁଷ୍ଠିତ ହୋଇ ଆସୁଛି। ଗତବର୍ଷ କରୋନା ମହାମାରୀ ଲକ୍‌ଡାଉନ ଯୋଗୁଁ ଦଣ୍ଡପର୍ବ ପାଳନକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ନଥିଲା। ତେବେ ଚଳିତ ବର୍ଷ ପ୍ରଶାସନ ଦଣ୍ଡନାଚକୁ ଅନୁମତି ପ୍ରଦାନ କରନ୍ତୁ ବୋଲି ବିଭିନ୍ନ ଦଣ୍ଡନାଚ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। ସଂସ୍କୃତି ଓ ପରମ୍ପରାର ରକ୍ଷା ନିମନ୍ତେ ଚଳିତ ବର୍ଷ ଦଣ୍ଡନାଚ ପାଇଁ ଗୁହାରିଆ ଓ ନାଚ କଳାକାର ମିଶି ୨ଶହ ଲୋକଙ୍କୁ ଦଣ୍ଡ ପରମ୍ପରା ବଜାୟ ରଖିବାକୁ ଅନୁମତି ମିଳୁ ବୋଲି କମିଟିର ସଦସ୍ୟମାନେ ଦାବି କରିଛନ୍ତି। ଦଣ୍ଡନାଚ ପ୍ରଚଳନ ହେତୁ କାମନା ଘରର ରୀତିନୀତି (କାଳୀପୂଜା) ଓ ଅନ୍ୟାନ୍ୟ ଖର୍ଚ୍ଚ ଅଧିକ ହୋଇଥାଏ। ଗତବର୍ଷ ଦଣ୍ଡନାଚ ବନ୍ଦ ହେତୁ ଦଣ୍ଡ କମିଟିଗୁଡ଼ିକ ଆର୍ଥିକ ଚାପଦେଇ ଗତି କରୁଛନ୍ତି। ସଂସ୍କୃତି ଓ ପରମ୍ପରାର ପ୍ରତୀକ ଦଣ୍ଡନାଚକୁ ବଜାୟ ରଖିବା ପାଇଁ ସରକାର ପ୍ରତି ଦଣ୍ଡକାମନା ଘରକୁ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦଣ୍ଡ କମିଟି ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
ପୁରୁଷାନୁକ୍ରମେ ଦଣ୍ଡନାଚରେ ବିଭିନ୍ନ କଳାକାର ସୃଷ୍ଟି ହୋଇ ଲୋକକଳାକୁ ବଞ୍ଚାଇ ରଖି ଆସିଛନ୍ତି। କଳାର ଏହି ଅନ୍ତୁଡ଼ିଶାଳ ଦଣ୍ଡନାଚ କଳାକାଙ୍କୁ ସରକାର କଳାକାର ଭତ୍ତା ପ୍ରଦାନ କରିବାକୁ ମଧ୍ୟ ଦଣ୍ଡ କମିଟି ସଦସ୍ୟମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଆଜି ଏ ନେଇ ଜିଲ୍ଲାପାଳ ଏବଂ ବିଭିନ୍ନ ଦଣ୍ଡକମିଟି ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଚଳିତ ବର୍ଷ ଦଣ୍ଡନାଚକୁ ଅନୁମତି ଦିଆଯିବ କି ନାହିଁ ଆସନ୍ତା ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିବ ବୋଲି ଜିଲ୍ଲାପାଳ ସୂଚନା‌ ଦେଇଛନ୍ତି।
ସମ୍ବନ୍ଧିତ ଖବର