ଭୁବନେଶ୍ବର : ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ସରକାରୀ କର୍ମଚାରୀମାନେ। ଆଜି ‘ପୁରୁଣା ପେନ୍‌ସନ୍‌ ପାଇଁ ଜାତୀୟ ଆନ୍ଦୋଳନ’ (ଏନ୍ଏମ୍ଓପିଏସ୍) ବ୍ୟାନର୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ କର୍ମଚାରୀ ସଂଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ଏହି ଦାବିକୁ ଜୋର୍‌ଦାର କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ପୂରଣ ନକଲେ, ସଂଘର୍ଷ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଯଦି ସାଂସଦ, ବିଧାୟକଙ୍କୁ ପୁରୁଣା ପେନ୍‌ସନ ଦିଆଯାଉଛି, ତେବେ କର୍ମଚାରୀଙ୍କୁ କାହିଁକି ଦିଆଯିବନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Advertisment

କର୍ମଚାରୀ ନେତାମାନେ କହିଥିଲେ, କେନ୍ଦ୍ର ସରକାର ୨୦୦୪ରେ ଓ ରାଜ୍ୟ ସରକାର ୨୦୦୫ରେ ପୁରୁଣା ପେନ୍‌ସନ୍‌ ଉଚ୍ଛେଦ କରି ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିଥିଲେ। ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଅବସର ପରେ ମାତ୍ର ୧୦୦୦ରୁ ୨୦୦୦ ଟଙ୍କା ପେନ୍‌ସନ୍‌ ପାଇ ଅତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଧାୟକ ଓ ସାଂସଦଙ୍କ କ୍ଷେତ୍ରରେ ଏହା ଲାଗୁ ନୁହେଁ। ସେମାନେ ପୁରୁଣା ବ୍ୟବସ୍ଥାରେ ପୂର୍ବପରି ପେନସନ୍‌ ପାଉଛନ୍ତି। ଏହାକୁ ସବୁ ସ୍ତରରେ ବିରୋଧ ହେବା ପରେ କେନ୍ଦ୍ର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇ ନୂତନ ପେନ୍‌ସନ୍‌ ଉପରେ ଅନୁଧ୍ୟାନ କରାଯାଇଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଏ ପ୍ରକାର ପଦେକ୍ଷପରେ ଏନ୍‌ଏମ୍‌ଓପିଏସ୍‌ ଅସନ୍ତୋଷ ବ୍ୟକ୍ତ କରିଛି। ନୂତନ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିବା ବଦଳରେ ସରକାର ଅବିକଳ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରନ୍ତୁ। ଇତି ମଧ୍ୟରେ ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ପୁରୁଣା ପେନ୍‌ସନ ଲାଗୁ ହୋଇଛି। ତେଣୁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନ୍‌ସନ୍ ସ୍କିମ୍ (ଓପିଏସ୍) ଲାଗୁ କରନ୍ତୁ। ଏ ବ୍ୟବସ୍ଥା ଲାଗୁ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କର୍ମକର୍ତ୍ତାମାନେ ଶପଥ ନେଇଥିଲେ।

ସଂଗଠନର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ‌ରେ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ରାଜ୍ୟ ସଂଯୋଜକ ଇତ୍‌କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୁପ୍ରସାଦ ସାହୁ, ବିକ୍ରମ ରଥଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସାମିଲ ଥିଲେ।