ଭୁବନେଶ୍ବର : ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାଙ୍କୁ ସବୈତନିକ ଛୁଟି ଦାବିର ପ୍ରାସଙ୍ଗିକତା ନେଇ ଆଲୋଚନା ଆରମ୍ଭ ହୋଇଛି। କିଛି ଦିନ ପୂର୍ବରୁ କେରଳ ସରକାର ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଋତୁସ୍ରାବଜନିତ ଛୁଟିର ଘୋଷଣା କରିଛନ୍ତି। ଏପରିକି ପରୀକ୍ଷା ସମୟରେ ଋତୁସ୍ରାବ ହେଲେ ଛାତ୍ରୀ ଆବଶ୍ୟକତା ଅନୁସାରେ ଛୁଟି ନେଇ ପାରିବେ ବୋଲି ମଧ୍ୟ କୁହାଯାଇଛି। ଫେବ୍ରୁଆରି ମାସରେ ଋତୁସ୍ରାବରେ ସବୈତନିକ ଛୁଟି ଦାବି ନେଇ ଦାଖଲ ପିଆଇଏଲକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। କିନ୍ତୁ ଏହାକୁ ନେଇ ସରକାର ନୀତି ଆଣିପାରିବେ ବୋଲି ମତ ଦେଇଛନ୍ତି। ୨୦୨୨ ମସିହାରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଏହି ଦାବି ନେଇ ପ୍ରଥମେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଅନଲାଇନ ପିଟିସନ ଦାଖଲ କରିଥିଲେ। ଏହାପରେ ଓଡ଼ିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ଦାବିପତ୍ର ଦେଇଥଲେ। ଏକ ବର୍ଷ ମଧ୍ୟରେ ଏହି ଦାବି ନେଇ ୧୪ଟି ରାଜ୍ୟର ମନ୍ତ୍ରୀ ଏବଂ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟିଛନ୍ତି କିମ୍ବା ଅନଲାଇନରେ ଦାବିପତ୍ର ଦେଇଛନ୍ତି।
ଭୁବନେଶ୍ବର ଏମ୍ସ ଡାକ୍ତର ସ୍ବୟଂପ୍ରଜ୍ଞା ପରିଡ଼ାଙ୍କ ମତ ହେଉଛି, ପିରିୟଡ ବା ମାସିକ ଋତୁସ୍ରାବ ସମୟରେ ଜଣେ ବାଳିକା ଏବଂ ମହିଳାଙ୍କ ସର୍ବାଧିକ ୮୦ ମିଲିଲିଟର ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ। ପ୍ରଥମ ଦୁଇ ଦିନ ଅନେକ ଝିଅ ଅଧିକ ଶାରୀରିକ କଷ୍ଟ ପାଇଥାନ୍ତି। ଏହା ସତ୍ତ୍ବେ ମଧ୍ୟ ପ୍ରସୂତି ଛୁଟି ଭଳି ଋତୁସ୍ରାବ ବେଳେ ସବୈତନିକ ଛୁଟି ପ୍ରଦାନର ଆବଶ୍ୟକତା ନାହିଁ। ଯେଉଁ ବାଳିକା କିମ୍ବା ମହିଳା ଅସୁସ୍ଥ ହୋଇ ପଡ଼ିବେ ଏହି ସମୟରେ ଔଷଧ ଗ୍ରହଣ କରିପାରିବେ କିମ୍ବା ଅତି ଜରୁରୀ ହେଲେ ଅସୁସ୍ଥତା ଜନିତ ଛୁଟି ନେଇ ପାରିବେ। ମାସିକ କାରଣ ଜନିତ ଛୁଟି ପାଇଁ ଆବେଦନ କରାଗଲେ ଏହାକୁ ସହୃଦୟତାର ସହିତ ଅଫିସ ଗ୍ରହଣ କରିବା ଉଚିତ। ପ୍ରତ୍ୟେକ ମାସର ନିର୍ଦିଷ୍ଟ ଦିନରେ ଛାତ୍ରୀ ଛୁଟିରେ ରହିଲେ ତାଙ୍କ ପାଠପଢ଼ା ଏବଂ କର୍ମଜୀବୀ ମହିଳାଙ୍କ ବୃତ୍ତିଗତ ଜୀବନ ପ୍ରଭାବିତ ହେବ। କଷ୍ଟର ମୁକାବିଲା କରିବା ଶିଖିବେ ନାହିଁ।
ସାମାଜିକ କର୍ମକର୍ତ୍ତା ରୁକ୍ମିଣୀ ପଣ୍ଡାଙ୍କ କହିବା କଥା ହେଉଛି, ଋତୁସ୍ରାବ ସମୟରେ ବାଳିକା ଏବଂ ମହିଳାମାନେ ଭୋଗୁଥିବା ଶାରୀରିକ କଷ୍ଟ ପାଇଁ ଗୋଟିଏ କିମ୍ବା ଦୁଇ ଦିନର ସବୈତନିକ ଛୁଟିର ଆବଶ୍ୟକତା ରହିଛି। କିନ୍ତୁ ସମସ୍ୟା ହେଲା, ଦେଶରେ ମହିଳା ସପକ୍ଷବାଦୀ ମାନସିକତା ନଥିବାରୁ ଚାକିରି କ୍ଷେତ୍ରରେ ମିଳୁଥିବା ସୀମିତ ସୁଯୋଗ ମହିଳାଙ୍କ ପାଇଁ ଆହୁରି ସୀମିତ ହୋଇ ପଡ଼ିବ। ୨୦୧୭ ମସିହାରେ ପ୍ରସବ ପାଇଁ ୬ ମାସ ସବୈତନିକ ଛୁଟି ଘୋଷଣା ନେଇ ସରକାରଙ୍କ ନିଷ୍ପତ୍ତି ପରେ ଘରୋଇ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ହ୍ରାସ ପାଇଥିବା ନେଇ ବିଭିନ୍ନ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ରୁକ୍ମିଣୀ କହନ୍ତି, ଋତୁସ୍ରାବ ନେଇ ଆଲୋଚନା ଆଜି ବି ନିଷେଧ ହୋଇ ରହିଛି। ଏହା ଛାତ୍ରୀ ଏବଂ କର୍ମଜୀବୀଙ୍କ ପାଇଁ ଅସୁବିଧା ହେଉଛି। ତେଣୁ ଏହାକୁ ନେଇ ଆଲୋଚନାର ସଙ୍କୋଚ ଉଠିଲେ ଅନେକ ସମସ୍ୟାର ସମାଧାନ ହୋଇ ପାରିବ। ବିଶେଷଜ୍ଞଙ୍କ ମତ ହେଉଛି, ଋତୁସ୍ରାବ ସମୟରେ ସବୈତନିକ ଛୁଟି ଦାବି ଆଜିର ନୁହେଁ। ୧୯୯୨ ମସିହାରେ ଏକମାତ୍ର ରାଜ୍ୟ ଭାବରେ ବିହାର ଏହାକୁ କାର୍ଯ୍ୟକାରୀ କରିଛି। ୨୦୧୭ ମସିହାରୁ ସଂସଦରେ ରଜଃସ୍ରାବ କଲ୍ୟାଣକର ବିଲ ବିଚାରାଧୀନ ରହିଛି।
ସ୍ପେନ ସମେତ ଭାରତରେ ଜମାଟୋ ସମେତ ଅନେକ ଘରୋଇ କମ୍ପାନି ଋତୁସ୍ରାବରେ ସବୈତନିକ ଛୁଟି ଘୋଷଣା କରିଛନ୍ତି। ମହିଳା ସପକ୍ଷବାଦୀ ମାନସିକତା ଦେଖାଇବା ପାଇଁ ଏହି ନିୟମ କରି ମହିଳା ନିଯୁକ୍ତି ହ୍ରାସ କରି ଦେଲେ ମହିଳାଙ୍କ ପାଇଁ ବୁମେରାଂ ହୋଇ ପଡ଼ିବ। ଏହି ପ୍ରସଙ୍ଗ ସମାଜର ୫୦ ପ୍ରତିଶତ ମଣିଷଙ୍କ ସ୍ବାର୍ଥ ସହିତ ଜଡ଼ିତ ଥିବାରୁ ଏହାକୁ ନେଇ ଗମ୍ଭୀରତାର ସହିତ ଆଲୋଚନାର ଆବଶ୍ୟକତା ରହିଛି।