ବରଗଡ଼/ପାଇକମାଳ: ବରଗଡ଼ ଜିଲ୍ଲାରେ ଗୋଟିଏ ମାସରେ ପୁଣି ତିନି ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟଣା ନେଇ ଉତ୍କଳ ଭାରତ ସଭାପତି ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀ ସ୍ୱାଇଁ ପାଇକମାଳ ବ୍ଲକ୍ ଜଳଗଡ଼ ଓ ବରଗଡ଼ ସଦର ବ୍ଲକର ତୋରା ଗାଁକୁ ଯାଇ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ଏହି ଚାଷୀମାନେ ଆତ୍ମହତ୍ୟା କରିଥିଲେ ସେ ଅନୁଧ୍ୟାନ କରିବା ସହ ସବିଶେଷ ରିପୋର୍ଟ ସଂଗ୍ରହ କରିଛନ୍ତି। ଏ ବାବଦରେ ଯଦି ରାଜ୍ୟ ସରକାରଙ୍କ ପାଖରୁ କୌଣସି ସହାୟତା ନ ମିଳୁଛି ମାନବାଧିକାର କମିସନଙ୍କ ପାଖରେ ସହାୟତା ପାଇଁ ନିବେଦନ କରିବେ ବୋଲି ସେ କହିଛନ୍ତି। ଜଳଗଡ଼ରେ ମୃତ ଚାଷୀଙ୍କ ପତ୍ନୀ ଜାମବତୀ ବୁଡେକଙ୍କ ସହ ଶ୍ରୀ ସ୍ୱାଇଁ କଥାବାର୍ତ୍ତା କରି ସମବେଦନା ଜଣାଇଥିଲେ। ଜାମସେଠ ସମବାୟ ସମିତ ଓ ଷ୍ଟେଟ ବ୍ୟାଙ୍କରୁ ଋଣ ସହ ସ୍ୱର୍ଗତ ଜଗଦୀଶ ବୁଡ଼େକ ମହାଜନୀ ଋଣ ପ୍ରାୟ ୩ ଲକ୍ଷ ଟଙ୍କା ନେଇଥିଲେ। ୫ ଏକରରେ ଧାନ ଓ କପା ଚାଷ ନଷ୍ଟ ଯୋଗୁଁ ହତାଶ ହୋଇପଡ଼ିଥିଲେ। ଶ୍ରୀ ସ୍ୱାଇଁଙ୍କ ସହ ବିଦ୍ୟାର୍ଥୀ ଉତ୍କଳ ଭାରତ ରାଜ୍ୟ ସଭାପତି ପ୍ରତ୍ୟୁଷ ନାୟକ, ସମ୍ପାଦକ ନେହରୁ ପ୍ରଧାନ ପ୍ରମୁଖ ଯାଇଥିଲେ।
ତୋରା ଗାଁରେ ମୃତ ଚାଷୀ ଅକ୍ଷୟ ଧରେଇ ମଧ୍ୟ ଋଣଗ୍ରସ୍ତ ଥିଲେ। କେବଳ ହାତ ଉଧାରି ୩ ଲକ୍ଷ ଟଙ୍କା କରିଥିବା ସହ ସୋସାଇଟି ଓ ବ୍ୟାଙ୍କରୁ ଋଣ ଆଣିଥିଲେ। ୯ ଏକର ଚାଷ ଜମିରେ ତାଙ୍କ ପ୍ରାୟ ୭୦ ପ୍ରତିଶତ ଫସଲ ନଷ୍ଟ ହୋଇଛି। ଶ୍ରୀ ସ୍ୱାଇଁ କହିଛନ୍ତି ଯେ ସରକାର ଯଦି ବଜ୍ରପାତ, ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ପରିବାର ବର୍ଗଙ୍କୁ ସହାୟତା ଦେଉଛନ୍ତି ତା’ହେଲେ ଶସ୍ୟ ଉତ୍ପାଦନ କରୁଥିବା ଘରର ମୁରବିଙ୍କ ମୃତ୍ୟୁ ହେଲେ ସହାୟତା ନିହାତି ଯୋଗାଇ ଦେବା ଉଚିତ। ମାନସିକ ସ୍ତରରେ ଫସଲ ନଷ୍ଟ ଓ କ୍ଷୟକ୍ଷତିର ସମ୍ମୁଖୀନ କରିପାରୁ ନଥିବାରୁ ଚାଷୀ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି। ଏହି ପରିସ୍ଥିତିରେ ଋଣ ଟଙ୍କା କେଉଁ ପରିସ୍ଥିତିରେ ପରିବାର ବର୍ଗ ଫେରାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଫସଲ କ୍ଷୟକ୍ଷତିଜନିତ ମୃତ୍ୟୁ ଭାବେ ଏହି ଘଟଣାକୁ ବିଚାର କରି ପରିବାର ବର୍ଗଙ୍କୁ ଉଚିତ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
‘କ୍ଷତିପୂରଣ ପାଇଁ ମାନବାଧିକାର କମିସନଙ୍କୁ ନିବେଦନ କରିବୁ’
ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଖାରବେଳ ସ୍ୱାଇଁ
/sambad/media/post_attachments/wp-content/uploads/2017/11/brgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)