ପାଟଣାଗଡ଼: ବକେୟା ପାଉଣା ଦାବିରେ ବୁଧବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଭଇଁଷା ପଞ୍ଚାୟତର ଇଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ପାଣିଟ୍ୟାଙ୍କର ମାଲିକମାନେ ତାଲା ଠୁଙ୍କିଥିଲେ। ଅଭିଯୋଗ ଅନୁସାରେ, ଏହି ପଞ୍ଚାୟତର ବିଭିନ୍ନ ଗାଁକୁ ଗତବର୍ଷ ପିଇବା ପାଣି ଯୋଗାଇ ଦେବା ପାଇଁ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିଲା। ଏଥିରେ ରାଜକୁମାର ପଟେଲ, ଅଧିକାରୀ ପଟେଲ, ନୀଳେନ୍ଦ୍ର ପଟେଲ, ଶଶିଭୂଷଣ ସାହୁ, ଭକ୍ତବନ୍ଧୁ ସଲତର, ଯଗଲାଲ ଭୁଏଙ୍କ ୬ଟି ଟ୍ରାକ୍ଟର ତଥା ପାଣି ଟ୍ୟାଙ୍କର ଲାଗିଥିଲା। ଏମାନେ ଅଢ଼େଇ ମାସ ଧରି ପାଣି ଯୋଗାଇଥିଲେ।
ଏ ବାବଦକୁ ମୋଟ ୧୩ ଲକ୍ଷରୁ ଅଧିକ ଟଙ୍କା ବକେୟା ଥିବା ସେମାନେ ଅଭିଯୋଗ କରିଛନ୍ତି। ପାଉଣା ସମ୍ପର୍କରେ ପୂର୍ବରୁ ବାରମ୍ବାର ପଞ୍ଚାୟତ, ବିଡିଓ ଏପରିକି ଜିଲ୍ଲାପାଳଙ୍କଠାରେ ମଧ୍ୟ ଅଭିଯୋଗ କରିଥିଲେ। ବର୍ଷେ ପର୍ଯ୍ୟନ୍ତ ପାଉଣା ନପାଇ ଶେଷରେ ବାଧ୍ୟ ହୋଇ ବୁଧବାର ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓ ଥିବା ସମୟରେ ତାଲା ମାରି ଦେଇଥିଲେ। ଖବର ପାଇ ବିଡିଓ ସେମାନଙ୍କୁ ତାଙ୍କ ବିଲ୍ ତୁରନ୍ତ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ସେମାନେ ଦିନ ୧ଟାରେ ତାଲା ଖୋଲିଥିଲେ। ଏ ସମ୍ପର୍କରେ ବିଡିଓ ସୁମନ୍ତ କୁମ୍ଭାରଙ୍କ କହିବା ହେଲା, ଗତବର୍ଷ ପିଇବା ପାଣି ଯୋଗାଣରେ ସମ୍ପୃକ୍ତ ପଞ୍ଚାୟତ ପାଇଁ ଯେତିକି ବ୍ୟୟ ଅଟକଳ ହୋଇଥିଲା ତା’ଠାରୁ ଢେର ଅଧିକ ଖର୍ଚ୍ଚ ହୋଇଥିଲା। ସେତିକି ପରିମାଣରେ ଟଙ୍କା ନଥିବାରୁ ସେମାନଙ୍କୁ ପଇଠ କରାଯାଇ ପାରି ନଥିଲା। ବର୍ତ୍ତମାନ ଟଙ୍କା ଆସିଯାଇଛି। ସେମାନଙ୍କ ଟଙ୍କା ତୁରନ୍ତ ପଇଠ କରାଯିବ ବୋଲି ସେ କହିଥିଲେ।