ଘରୁ ସଂଗ୍ରହ ହେଉଥିବା କୋଭିଡ ନମୁନା ପାଇଁ ଦର ଧାର୍ଯ୍ୟ ଦାବି

ଭୁବନେଶ୍ବର : କୋଭିଡ୍‌ ସମୟରେ କୌଣସି ବ୍ୟକ୍ତିଙ୍କ ନମୁନା ଘରୁ ସଂଗ୍ରହ କରୁଥିବା ଲ୍ୟାବ୍ ପାଇଁ କୌଣସି ଦର ଧାର୍ଯ୍ୟ ହୋଇନାହିଁ। ଏଥିପାଇଁ ଲ୍ୟାବ୍‌ମାନେ ମନଇଚ୍ଛା ଟଙ୍କା ଦାବି କରୁଥିବାର ଅଭିଯୋଗ ହେଉଛି। ତେଣୁ ଘରୁ ନମୁନା ସଂଗ୍ରହ କରୁଥିବା ଲ୍ୟାବ୍‌ ପାଇଁ ଦର ଧାର୍ଯ୍ୟ କରିବା ଲାଗି ସାଧାରଣରେ ଦାବି ହୋଇଛି।

ସରକାରୀ ହସ୍ପିଟାଲ ବାଦ୍ ଘରୋଇ ହସ୍ପିଟାଲ/କ୍ଲିନିକ୍‌ରେ କୋଭିଡ ପରୀକ୍ଷା ପାଇଁ ରାଜ୍ୟ ସରକାର ଦର ଧାର୍ଯ୍ୟ କରିଛନ୍ତି। ରାପିଡ୍‌ ଆଣ୍ଟିଜେନ୍ ପାଇଁ ଶହେ ଟଙ୍କା ଥିବା ବେଳେ ଆରଟି-ପିସିଆର ପାଇଁ ୪ଶହ ଟଙ୍କା ରଖାଯାଇଛି। ଅନେକ ବୟସ୍କ କିମ୍ବା ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାହାରକୁ ଯାଇ ନମୁନା ପରୀକ୍ଷା କରିବା ସମ୍ଭବ ହେଉନାହିଁ। ଏ କ୍ଷେତ୍ରରେ ଘରୋଇ ଲ୍ୟାବ୍‌ କର୍ମଚାରୀଙ୍କୁ ଘରକୁ ଆସି ନମୁନା ସଂଗ୍ରହ କରିବାକୁ ପଡ଼ୁଛି। ମାତ୍ର ଘରୁ ନମୁନା ସଂଗ୍ରହ କରୁଥିବା ଲ୍ୟାବ୍‌ ପାଇଁ ସରକାର କୌଣସି ଦରଧାର୍ଯ୍ୟ କରି ନାହାନ୍ତି। ପିପିଇ କିଟ୍‌, ଡାକ୍ତରୀ ଫି’ ଓ ଅନ୍ୟାନ୍ୟ ଖର୍ଚ ବାବଦକୁ ମିଶାଇ ଲୋକମାନଙ୍କୁଠାରୁ ଟଙ୍କା ଦାବି କରାଯାଉଛି। ଏ କ୍ଷେତ୍ରରେ ଲୋକମାନେ ଏକପ୍ରକାର ଲୁଟ୍‌ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ ଘରୋଇ ଲ୍ୟାବ୍‌ରେ ପରୀକ୍ଷା ପାଇଁ ଦରଧାର୍ଯ୍ୟ କରାଯାଇଛି। ଘରୁ ନମୁନା ସଂଗ୍ରହ କରୁଥିବା ଲ୍ୟାବ୍‌ ପାଇଁ ଦର ଧାର୍ଯ୍ୟ ହୋଇନାହିଁ। ଏ ନେଇ ସରକାରୀସ୍ତରରେ କୌଣସି ଆଲୋଚନା ହୋଇ ନ ଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର