ଭୁବନେଶ୍ବର : ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଜନନ ସମୟରେ ମାଛଧରା ନେଇ କଟକଣା ଜାରି କରାଯାଏ। ଏହାକୁ ନେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ମାଛଧରା ନିଷେଧାଜ୍ଞାର ବିଭିନ୍ନ ଦିଗ ସଂପର୍କରେ ମତାମତ ଦେଇଥିଲେ। ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ସଂରକ୍ଷଣ ଓ ଏହାର ବଂଶବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେପରି ଦୀର୍ଘ ସମୟ ଧରି ସମୁଦ୍ରରେ ମାଛ ଧରିବା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ସେଥିପାଇଁ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ଉପରେ କଟକଣା ଜାରି କରିବା ପାଇଁ ବୈଠକରେ ମତ୍ସ୍ୟଜୀବୀ ସଂଘର ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ।

Advertisment

ପାରମ୍ପରିକ ଡଙ୍ଗାରେ ଯେଉଁମାନେ ସମୁଦ୍ରରେ ମାଛ ଧରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ କରିବା ପାଇଁ କହିଥିଲେ। ନିଷେଧାଜ୍ଞା ସମୟରେ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କହିଥିଲେ। ଓଡ଼ିଶା ଉପକୂଳରେ ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାମାନେ ବେଆଇନ ଭାବେ ମାଛଧରିବାକୁ ରୋକିବା ଲାଗି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ମତ ପ୍ରକାଶ ପାଇଥିଲା। କଳକାରଖାନାର ବର୍ଜ୍ୟବସ୍ତୁ ସମୁଦ୍ରରେ ଛାଡ଼ିବା ଦ୍ୱାରା ମାଛମାନେ ବହୁଳ ଭାବେ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଖିଲାପି ଶିଳ୍ପ ଏବଂ କାରଖାନାଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମାଛଧରା ଜାଲର ମେସ୍‌ ସାଇଜ୍‌ରେ ଆବଶ୍ୟକ ପରିବର୍ତ୍ତନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।