ପୁରୀ : ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନାର ଅନ୍ୟତମ ସ୍ମୃତିସ୍ଥଳ ପାଥେରପୁରୀକୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉଠିଛି। ସେ କେବଳ ଜାତୀୟ ସଙ୍ଗୀତ ରଚନା କରି ଦେଶକୁ ଏକ ସୂତ୍ରରେ ବାନ୍ଧିବାର ବାର୍ତ୍ତା ଦେଇନାହାନ୍ତି ବରଂ ସମଗ୍ର ବିଶ୍ବରେ ଅନନ୍ୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ସ୍ବେଛାସବୀ ସଂଗଠନ ‘ଦି ବେଲ୍’ ତରଫରୁ ବିଶ୍ବ ବିଖ୍ୟାତ ସାହିତ୍ୟିକ, ଦାର୍ଶନିକ, ନୋବେଲ ପୁରସ୍କାର ବିଜେତା, ଭାରତର ରାଷ୍ଟ୍ରସଙ୍ଗୀତ ରଚନା କରିଥିବା ରବୀନ୍ଦ୍ର ନାଥ ଟାଗୋରଙ୍କ ସାହିତ୍ୟ ସାଧନାର ଅନ୍ୟତମ ସାଧନା ସ୍ଥଳୀ ପୁରୀର ‘ପାଥେରପୁରୀ’କୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି।

Advertisment

publive-image Telegraph India

ରବୀନ୍ଦ୍ର ନାଥ ଟାଗୋରଙ୍କ ଏହି ଘରଟି ଅନେକ ଇତିହାସର ମୁକସାକ୍ଷୀ। ବିଶିଷ୍ଟ ଲେଖକ ଜେ.ପି ଦାସଙ୍କ ସୂଚନା ମୁତାବକ, ରବୀନ୍ଦ୍ରନାଥଙ୍କ ଜେଜେ ବାପା ଦ୍ବାରିକାନାଥ ସିରସ୍ତାଦାର ଭାବେ କଟକ ଆସିଥିଲେ। କଟକରେ ସେ ପାଣ୍ଡୁଆ ଇଷ୍ଟେଟ୍‌ ମଧ୍ୟ କିଣିଥିଲେ। ରବୀନ୍ଦ୍ରନାଥଙ୍କ ବାପା ଦେବେନ୍ଦ୍ରନାଥ ୧୮୫୧ରେ ପାଣ୍ଡୁଆ ଓ ପୁରୀ ଆସିବା ସହ କଟକରେ ଏକ ଡିଗ୍ରି କ୍ଲାସ୍‌ ଖୋଲିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ। ୧୯୦୦ ମସିହାରେ ସେ ପୁରୀରେ ଏକ ଜମି କିଣିଥିଲେ। ତେଣୁ ରବୀନ୍ଦ୍ରନାଥ ବହୁଥର ଓଡ଼ିଶା ଆସିଥିଲେ। ପୁରୀ ଆସିଲେ ସେ ଚକ୍ରତୀର୍ଥ ରୋଡ୍‌ସ୍ଥିତ ବଙ୍ଗଳା ‘ପାଥେରପୁରୀ’ରେ ରହିବା ସହ ସେଠାରେ ବହୁ କାଳଜୟୀ କବିତା ରଚନା କରିଥିଲେ। ୧୯୩୯ ମସିହା ଏପ୍ରିଲ୍‌ରୁ ମେ ମାସ ମଧ୍ୟରେ ରହଣି କାଳରେ ପ୍ରବାସୀ, ଜନମ୍‌ ଦିନ୍ ଓ ଏପାରେ ଓପାରେ କବିତା ରଚନା କରିଥିଲେ। ତତ୍କାଳୀନ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଅଭ୍ୟର୍ଥନା ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ବି ପରିତ୍ୟକ୍ତ ଅବସ୍ଥାରେ ଭୂତକୋଠି ପ୍ରାୟ ଦଣ୍ଡାୟମାନ ହୋଇଛି ମହାନ କବିଙ୍କ ଏହି କବିତାଶାଳା। ଶତାଧିକ ବର୍ଷ ତଳେ ନିର୍ମିତ ଏହି କୋଠାକୁ ସେତେ‌ବେଳେ ଟାଗୋର ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କୁ ଦାନ କରିଦେଇଥିଲେ। ପରେ ଏହା ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) କଲେଜ୍‌ ଛାତ୍ରାବାସ ଭାବେ ବ୍ୟବହୃତ ହେଉଥିଲା। ପରବର୍ତ୍ତୀ ସମୟରେ ଏହି କୋଠାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଅଥଚ ପ୍ରଶାସନ ଏହି ଐତିହ୍ୟ ସ୍ମୃତିସ୍ଥଳକୁ ମରାମତି କରିବାକୁ ଗୁରୁତ୍ବ ଦେଲା ନାହିଁ। ତେଣୁ ଧୀରେଧୀରେ ଏହି କୋଠା ପରିସର ଜଙ୍ଗଲ ପାଲଟି ଯାଇଛି।

ସ୍ୱାଧୀନତା ଦିବସ ପାଳନ ହେବାର ଅବ୍ୟବହିତ ପୂର୍ବରୁ ଅବହେଳିତ ହୋଇ ପଡ଼ିଥିବା ଏହି ସ୍ଥାନକୁ ସଫେଇ କରାଯାଇଥିଲା। ଦି ବେଲ୍ ଅନୁଷ୍ଠାନ ତତ୍ତ୍ବାବଧାନରେରେ ପୁରୀର ବିଭିନ୍ନ ଅନୁଷ୍ଠାନ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍‌ମାନେ ଏହି ସ୍ଥାନକୁ ଓ ବିଶ୍ୱକବିଙ୍କ ପ୍ରତିମୂର୍ତ୍ତିକୁ ବଣବୁଦାରୁ ମୁକ୍ତ କରି ମାଲ୍ୟାପର୍ଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ନିବେଦନ କରିଥିଲେ। ସମବେତ ଭାବେ ଟାଗୋରଙ୍କ ରଚିତ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ମୁଖ୍ୟଦ୍ବାରରେ ଏହି ସ୍ଥାନର ମହତ୍ତ୍ଵ ସମ୍ପର୍କରେ ଲେଖା ଥିବା ବ୍ୟାନର ଲଗାଯାଇଛି। ଫଳରେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ଏହି ସ୍ଥାନର ମହତ୍ତ୍ଵ ସମ୍ପର୍କରେ ଜାଣି ପାରିବେ ବୋଲି ବେଲ୍ ସଂଗଠନର ଆବାହକ ସିଦ୍ଧାର୍ଥ ରାୟ ସୂଚନା ଦେଇଛନ୍ତି।