ଭୁବନେଶ୍ବର : କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ଏହି ମର୍ମରେ ପତ୍ର ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ରାଜ୍ୟର ୮ ଲକ୍ଷ ତୋଳାଳି ଏବଂ କର୍ମଚାରୀ ଜୀବିକା ପାଇଁ କେନ୍ଦୁପତ୍ର ଉପରେ ନିର୍ଭର କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଆଦିବାସୀ ପରିବାରର। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନ୍ତର୍ଗତରେ ଏହାର ବିକ୍ରୟ କରାଯାଉଛି। ମାତ୍ର କେନ୍ଦୁପତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବା ପରେ ସେମାନଙ୍କ ଆର୍ଥିକ ଜୀବନ ଗୁରୁତର ପ୍ରଭାବିତ ହୋଇଛି। ଏହାର ବିକ୍ରୟ ମୂଲ୍ୟ ହ୍ରାସ ହୋଇ ଲାଭର ପରିମାଣ ସଙ୍କୁଚିତ ହେଉଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବର୍ଷାଧିକ ସମୟ ହେଲା ଜିଏସ୍‌ଟି ପ୍ରତ୍ୟାହାର ପାଇଁ ଦାବି କରାଯାଉଛି। କିଛି ଦିନ ପୂର୍ବରୁ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଏସ୍‌ଟି ପ୍ରତ୍ୟାହାର ପାଇଁ ପ୍ରସ୍ତାବ ସମେତ ଅନ୍ୟାନ୍ୟ ଦାବି କରିଥିଲେ। ଅନ୍ୟଦିଗରେ ପଦ୍ମପୁର ଉପନିର୍ବାଚନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରମୁଖ ସଦସ୍ୟ ଅଛନ୍ତି।