ସମାନ କାମକୁ ସମାନ ଦରମା ଦାବି, ପ୍ୟାକ୍ସ ସଂପାଦକଙ୍କ ଧାରଣା

ଟିଟିଲାଗଡ଼: ସମାନ କାମ ପାଇଁ ସମାନ ଦରମା ଦାବିରେ ଟିଟିଲାଗଡ଼ ଅଞ୍ଚଳର ପ୍ୟାକ୍ସ ସଂପାଦକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟିଟିଲାଗଡ଼ ଉପଖଣ୍ତ ଅନ୍ତର୍ଗତ ୫୫ଟି ପ୍ୟାକ୍ସର ସଂପାଦକମାନେ ସ୍ଥାନୀୟ ସମବାୟ ସମିତି ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାର ପାଟଣାଗଡ଼ ଓ ବଲାଙ୍ଗୀର ଉପଖଣ୍ଡରେ କାମ କରୁଥିବା ପ୍ୟାକ୍ସ ସଂପାଦକମାନଙ୍କ ଦରମା ଟିଟିଲାଗଡ଼ ଉପଖଣ୍ତରେ କାର୍ଯ୍ୟ କରୁଥିବା ସଂପାଦକମାନଙ୍କଠାରୁ ଢେର ଅଧିକ। ସମସ୍ତ ପ୍ୟାକ୍ସର କାମ ସମାନ ଥିବା ବେଳେ ଦରମାରେ ପାତରଅନ୍ତର କରାଯାଉଛି।

ସମବାୟ ସମିତି ସମୂହ ନିବନ୍ଧକଙ୍କ ପତ୍ର ସଂଖ୍ୟା ୨୨୧୬/ତା ୩୦.୧.୨୦୧୪ ଅନୁସାରେ ପାଟଣାଗଡ଼ ଏବଂ ବଲାଙ୍ଗୀର ସର୍କଲର ସଂପାଦକମାନଙ୍କୁ ନିର୍ଦ୍ଧାରିତ ସ୍କେଲ ଅନୁଯାୟୀ ଦରମା ଦିଆଯାଉଛି। କେବଳ ଟିଟିଲାଗଡ଼ର ୫୫ ଜଣ ସଂପାଦକ ଏଥିରୁ ବଞ୍ଚିତ ରହିଛନ୍ତି। ଯାହାକୁ ନେଇ ଗତ ୧୧ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସମବାୟ ସମୂହ ନିବନ୍ଧକଙ୍କୁ ଅନୁରୋଧ କରାଯାଇଥିଲା। ତଥାପି କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସଂପାଦକମାନେ ଧାରଣା ଦେଇଥିବା ପ୍ରକାଶ କରିଛନ୍ତି। ଧାରଣାରେ ସଂଘର ଜିଲ୍ଲା ସଭାପତି ପ୍ରଦୀପ ଗୁରୁ, ଡମ୍ବରୁଧର ପଟ୍ଟନାୟକ, ବି‌ଘ୍ନେଶ୍ବର ଭୋଇ, ନେହେରୁ ପଣ୍ତା, ରାଜା ପ୍ରଧାନ, ଘାସିରାମ ରଣା, ରୋହିତ ସାହୁ, ଗଜପତି ସାହୁ, ମନୋଜ ସାହୁ, ସତ୍ୟନାରାୟଣ ନାଗ, ଅଶୋକ ନାୟକ, ଦୁଖୀଶ୍ୟାମ ରଣା, ମନୋଜ ଛତର, ଗୁପ୍ତେଶ୍ବର ରଣା, ଧୁବଳେଶ୍ବର ସାହୁ, ବିକାଶ ଆଡଯୁଆଡ ପ୍ରମୁଖ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର