ପୁରୀ: ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ଭିତର ଛାମୁ ସେବାୟତ କମିଟି ଆଜି ୫-ଟି ସଚିବଙ୍କୁ ଭେଟି ଦାବିପତ୍ର ଦେଇଛି। ଶ୍ରୀମନ୍ଦିରରେ ପାରିମ୍ପରିକ ପୋଷାକ ପରିଧାନ ବ୍ୟବସ୍ଥା ଲାଗୁ ସହ ଫିଡିଂ ପାଇଁ ମାତୃ-ଶିଶୁ କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି। ମୋବାଇଲ୍ କଟକଣାକୁ କଡ଼ାକଡ଼ି କରିବାକୁ ଦାବି ରଖିଛନ୍ତି। ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ଭିତର ଛାମୁ ସେବାୟତ କମିଟି ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀବିଗ୍ରହଙ୍କ ସୁରକ୍ଷା ଦାୟିତ୍ବ ଛାମୁ ଖୁଣ୍ଟିଆ ସେବକମାନେ ଆବାହମାନ କାଳରୁ କରି ଆସୁଛନ୍ତି। କିନ୍ତୁ ଶ୍ରୀମନ୍ଦିରକୁ ଅବାଧରେ ହଜାର ହଜାର ମୋବାଇଲ୍ ଫୋନ୍ ପ୍ରବେଶ କରୁଛି। ଗତ ୨୦୧୫ ନବକଳେବର ସମୟରୁ ବାରମ୍ବାର ମୋବାଇଲ୍ ଫୋନ୍ ଶ୍ରୀମନ୍ଦିରକୁ ନିଷେଧ କରିବାକୁ ନିଯୋଗ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି। ମୋବାଇଲ୍ର ଅବାଧ ପ୍ରବେଶ ଶ୍ରୀବିଗ୍ରହଙ୍କ ପ୍ରତି ବିପଦ ସୃଷ୍ଟି କରିଛି।
ଏପରିକି ଛୋଟ ମୋବାଇଲ୍ରୁ ବିସ୍ଫୋରଣ ହେବାର ସମ୍ଭାବନା ରହିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରକୁ ମୋବାଇଲ୍ ସଂପୂର୍ଣ୍ଣ ନିଷେଧ କରାଯାଉ। ଚାରିଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ସବୁଠୁ ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ କିଛି ଭକ୍ତ ଆପତ୍ତିଜନକ ଅଶ୍ଳୀଳ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏହାଦ୍ବାରା ମନ୍ଦିର ପରିସରର ଆଧ୍ୟାତ୍ମିକତା ଓ ପରମ୍ପରା ନଷ୍ଟ ହେଉଛି। ଏଣୁ ଶ୍ରୀମନ୍ଦିରକୁ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବାର ନିର୍ଦ୍ଦେଶନାମା ଜାରି ହେଉ। ଏହାର ବ୍ୟାପକ ସଚେତନତା କରାଯାଉ। ଦେଶର ଅନ୍ୟ ପ୍ରମୁଖ ମନ୍ଦିରରେ ଫିଡିଂ ପାଇଁ ମାତୃ-ଶିଶୁ କେନ୍ଦ୍ର ରହିଛି। କିନ୍ତୁ ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ନାହିଁ। ଫଳରେ ଯେଉଁ ମା’ମାନେ ଛୁଆମାନଙ୍କୁ ନେଇ ଆସୁଛନ୍ତି, ସେମାନେ କଲବଲ ହେଉଛନ୍ତି। ଯଥାଶୀଘ୍ର ଶ୍ରୀମନ୍ଦିର ବେଢ଼ାରେ ୪ଟି ମାତୃ-ଶିଶୁ କେନ୍ଦ୍ର ଖୋଲିବାକୁ ନିଯୋଗ ଦାବି କରିଛି। ଯେଉଁଠି ବିନା ବାଧାରେ ଜଣେ ମା'’ପିଲାର ଯତ୍ନ ନେବା ସହ ସ୍ତନ୍ୟପାନ କରାଇପାରିବ ବୋଲି ନିଯୋଗ କହିଛି।