କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଦେଇ ପ୍ରବାହିତ ସିଙ୍ଗିଡ଼ା ନଦୀଜଳ କୋଇଲା ଖଣିର ପାଣି ପାଇଁ ବିପଦରେ। ହିଙ୍ଗୁଳା କୋଇଲା ଖଣିର ଦୂଷିତ ଜଳକୁ ସିଧାସଳଖ ଏହି ନଦୀକୁ ଛାଡ଼ି ଦିଆଯାଉଥିବାରୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ନଦୀକୂଳରେ ବାସ କରୁଥିବା ଲୋକେ ପାନୀୟଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ସିଙ୍ଗିଡ଼ା ନଦୀ ଉପରେ ତାଳଚେର ବ୍ଲକ୍ କୁମୁଣ୍ଡା ପଞ୍ଚାୟତଠାରୁ ଆରମ୍ଭ କରି କଣିହାଁ ବ୍ଲକର ସାନତ୍ରିବିଡ଼ା, ବଡ଼ତ୍ରିବିଡ଼ା, କମରେଇ ଓ ହରିହରପୁର ପଞ୍ଚାୟତର ଅନେକ ଗାଁ ନିର୍ଭର କରୁଛନ୍ତି। ସିଙ୍ଗିଡ଼ା ନଦୀର ପାଣିକୁ ଅଞ୍ଚଳବାସୀ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ କୂଳରେ ରହିଛି ଅନେକ ଉଠା ଜଳସେଚନ ପଏଣ୍ଟ। ଏହା ଦ୍ବାରା ଲୋକମାନେ ଜମିକୁ ଜଳସେଚିତ କରି ବିଭିନ୍ନ ଫସଲ ଉତ୍ପାଦନ କରୁଛନ୍ତି। କିନ୍ତୁ ଦେଢ଼ମାସରୁ ଅଧିକ ଦିନ ହେଲା ତାଳଚେର ବ୍ଲକ୍ କୁମୁଣ୍ଡା ଗାଁ ନିକଟରେ ସିଙ୍ଗିଡ଼ା ନଦୀରେ ହିଙ୍ଗୁଳା କୋଇଲା ଖଣିର ବର୍ଜ୍ୟଜଳକୁ ଛଡ଼ାଯାଉଛି। ଖଣିର ବର୍ଜ୍ୟ ଓ କୋଇଲା ଗୁଣ୍ଡ ମିଶା କଳା ପାଣି ନଦୀରେ ମିଶୁଥିବାରୁ ନଦୀର ଜଳ ସଂପୂର୍ଣ୍ଣ ଦୂଷିତ ହୋଇଯାଇଛି। ନଦୀ ପାଣିରେ ଏକ କଳାରଙ୍ଗର ଆସ୍ତରଣ ଦେଖିବାକୁ ମିଳୁଛି। ନଦୀରେ କୋଇଲା ଖଣିର ଦୂଷିତ ଜଳ ନଛାଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
କୋଇଲା ଖଣି ପାଣିରେ ସିଙ୍ଗିଡ଼ା ଦୂଷିତ
/sambad/media/post_attachments/wp-content/uploads/2024/08/ddgaddg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)