ଯାଜପୁର: ୫-ଟିରେ ଗୋଟିଏ ‘ଟି’ ହେଉଛି ସ୍ବଚ୍ଛତା(ଟ୍ରାନ୍ସପରେନସି)। ହେଲେ ୫-ଟି କାମରେ କିନ୍ତୁ ସ୍ବଚ୍ଛତା ରକ୍ଷା ବଦଳରେ ଗୁପ୍ତଟେଣ୍ଡର କରି ବ୍ୟାପକ ଅନିୟମିତତା ଲାଗି ରାସ୍ତା ଖୋଲିଦିଆଯାଇଛି। ଖୋଲାଟେଣ୍ଡର କରିବା ପରିବର୍ତ୍ତେ ଗୁପ୍ତଟେଣ୍ଡର ଜରିଆରେ ‘ମୋ ସ୍କୁଲ’ ଓ ‘ମୋ ଡାକ୍ତରଖାନା’ ପାଇଁ ୨୬୩କୋଟି ୯ଲକ୍ଷ ଟଙ୍କାର କାମ କରାଯାଇଛି। ଏହି କାରଣରୁ ଯାଜପୁର ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ସରକାର ୩୯କୋଟି ୪୩ଲକ୍ଷ ଟଙ୍କାର ରାଜସ୍ବ ହରାଇଛନ୍ତି।

Advertisment

ଯାଜପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୋ ଡାକ୍ତରଖାନା କାର୍ଯ୍ୟକ୍ରମରେ ୭ଟି ସିଏଚସି ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, ଯାଜପୁରରୋଡ଼ ଓ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମରାମତି ଓ ରୂପାନ୍ତରୀକରଣ କରାଯାଇଥିଲା। ଏଥିପାଇଁ ୨୦କୋଟି ୨୧ ଲକ୍ଷ ୧୮ହଜାର ଟଙ୍କା ଅନୁମୋଦନ କରାଯାଇଥିଲା। ଏହି କାମକୁ ଖୋଲାଟେଣ୍ଡର ନକରି ଭୁବନେଶ୍ବର ନୟାପଲ୍ଲୀସ୍ଥିତ ହିନ୍ଦୁସ୍ତାନ୍ ଷ୍ଟିଲ୍ ୱାର୍କସ୍ କନଷ୍ଟ୍ରକ୍ସନ୍ ଲିମିଟେକୁକୁ ୨୦୨୩ ମାର୍ଚ୍ଚ୨୩ରେ ଜିଲ୍ଲାପାଳ ସିଧାସଳଖ ଦାୟିତ୍ବ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ଏହି କାର୍ଯ୍ୟ ବାବଦକୁ ୨୦କୋଟି ୨୦ଲକ୍ଷ ୮୪ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିବା ନିମ୍ନମାନର କାମକୁ ନେଇ ଡାକ୍ତରଖାନାର କର୍ତ୍ତୃପକ୍ଷ ବାରମ୍ବାର ଆପତ୍ତି ଉଠାଇ ଥିଲେ ହେଁ ପ୍ରଭାବଶାଳୀ ନେତାଙ୍କ ଛତ୍ରଛାୟାରେ ରହି କାମ କରୁଥିବା ଠିକାଦାର କୌଣସି କଥା ଶୁଣିନଥିଲେ। ନିୟମ ଅନୁଯାୟୀ ଏଠା‌ରେ ଯଦି ଖୋଲାଟେଣ୍ଡର ହୋଇଥାନ୍ତା ତେବେ ୧୪.୯୯ ପ୍ରତିଶତ ହ୍ରାସ ବାବଦକୁ ସରକାର ୩କୋଟି ୨ଲକ୍ଷ ୯୭ହଜାର ୪୮୮ଟଙ୍କା ରାଜସ୍ବ ବଞ୍ଚାଇ ପାରିଥାନ୍ତେ। ତେବେ କେଉଁ ଆଧାରରେ ଗୁପ୍ତ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କାର କାମ କରାଗଲା ବୋଲି ପ୍ରଶ୍ନ ଉଠୁଛି।

ସେହିପରି ଶିକ୍ଷା ବିଭାଗରେ ୪୩୦ ସ୍କୁଲର ରୂପାନ୍ତରୀକରଣ ପାଇଁ ମୋ ସ୍କୁଲ କାର୍ଯ୍ୟକ୍ରମରେ ୨୪୨କୋଟି ୮୮ଲକ୍ଷ ଟଙ୍କାର ଖୋଲାଟେଣ୍ଡର ହୋଇଥିଲେ ୧୪.୯୯ ପ୍ରତିଶତ ହ୍ରାସରେ ସରକାର ୩୬କୋଟି ୪୦ଲକ୍ଷ ୭୭ହଜାର ୧୨୦ ଟଙ୍କା ସଂଚୟ କରିପାରିଥାନ୍ତେ। ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୬୦ଲକ୍ଷ ଟଙ୍କାର କାମକୁ ଭାଗଭାଗ କରି ଗୁପ୍ତଟେଣ୍ଡର ଜରିଆରେ ଅସାଧୁମେଣ୍ଟ ନିମ୍ନମାନର କାର୍ଯ୍ୟ କରି ଅନୁଦାନ ହରିଲୁଟ୍‌ କରିଥିବା ଅଭିଯୋଗ ହେଉଛି। ଉଭୟ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗରେ ବ୍ୟୟ ହୋଇଥିବା ମୋଟ ୨୬୩କୋଟି ୯ଲକ୍ଷ ୧୮ହଜାର ଟଙ୍କାର କାମକୁ ‌ଖୋଲାଟେଣ୍ଡର କରାଯାଇଥିଲେ ୩୯କୋଟି ୪୩ଲକ୍ଷ ୭୪ହଜାର ୬୦୮ ଟଙ୍କା ସରକାର ବଞ୍ଚାଇ ପାରିଥାନ୍ତେ। କାମ ବି ଉନ୍ନତ ମାନର ହୋଇପାରନ୍ତା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।