ରାଜନଗର: ବିଜେପି ସଦସ୍ୟତା ଅଭିଯାନ କର୍ମଶାଳାରେ ଆଜି ତୁମୁଳକାଣ୍ଡ ଘଟିଛି। ଦୁଇଗୋଷ୍ଠୀ ମଧ୍ୟରେ ପିଟାପିଟି, ଚେୟାର ଫିଙ୍ଗା ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଏ ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି। 

Advertisment

ସୂଚନା ମୁତାବକ ଆଜି ଅପରାହ୍ଣରେ ବିଜେପି ପକ୍ଷରୁ ରାଜନଗର ନିର୍ବାଚନମଣ୍ତଳୀର ୩୧ନଂ ଜୋନ୍‌ର ସଦସ୍ୟତା ଅଭିଯାନ କର୍ମଶାଳା ଆୟୋଜନ ହୋଇଥିଲା। ଏହି ବୈଠକ ୩୦ ନମ୍ବର ଜୋନ ଅଞ୍ଚଳରେ ଅନୁଷ୍ଠିତ ହେଉଥିଲା। ୩୧ ନମ୍ବର ଜୋନ ସଭାପତି ଦିଲ୍ଲୀପ କୁମାର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ଲଳିତ କୁମାର ବେହେରା, ରାଜୀବ ଲୋଚନ ନାୟକ, ନିର୍ବାଚନମଣ୍ତଳୀ ପ୍ରଭାରୀ ସୁନାକର ବେହେରା, ଶୁଭକାନ୍ତ ନାୟକ, ବିକ୍ରମ କୁମାର ବାରିକ, ନିମାଇଁ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୩୧ନମ୍ବର ଜୋନ ଡେରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବତନ ଯୁବମୋର୍ଚ୍ଚା ସଂପାଦକ କ୍ରିଷ୍ଣା ବେହେରା, ଯୁବନେତା ଦିଲ୍ଲୀପ ପାଳ ଓ ପୁରୁଣା କାର୍ଯ୍ୟକର୍ତ୍ତାମାନେ ପହଞ୍ଚି  ୩୧ ନମ୍ବର ଜୋନର ବୈଠକ ୩୦ ନମ୍ବର ଜୋନ ଅଞ୍ଚଳରେ କାହିଁକି ହେଉଛି, ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ଡକାଯାଉ ନାହିଁ ବୋଲି ପଚାରି ସେମାନେ ପାଟିତୁଣ୍ଡ କରିଥିଲେ। ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ କଂଗ୍ରେସ, ବିଜେଡିରୁ ଆସିଥିବା ନେତାଙ୍କୁ ନେଇ ବୈଠକ କରାଯାଉଛି ବୋଲି ସେମାନେ କହିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ବିବାଦ ଉଗ୍ରରୂପ ଧାରଣ କରି ଚେୟାର ଫିଙ୍ଗା ସହ ମାରପିଟ୍‌ ଯାଏଁ କଥା ଯାଇଥିଲା।

ବୈଠକ ସ୍ଥଳରୁ କେରେଡାଗଡ–ରାଜନଗର ମୁଖ୍ୟ ରାସ୍ତା ଯାଏଁ ଗଣ୍ଡଗୋଳ ଚାଲିଥିଲା। ଏଥିରେ ଯୁବମୋର୍ଚ୍ଚାର ପୂର୍ବତନ ସଂପାଦକ କ୍ରିଷ୍ଣା ବେହେରା ଗୁରୁତର ଆହତ ହୋଇଥିବା ବେଳେ ଗଗନ ବିହାରୀ ଦାସଙ୍କ ମୁଣ୍ତ ଫାଟିଯାଇଛି। କୃଷ୍ଣ ରାଉତ ଓ ବଶିଷ୍ଠ ଜେନା ପ୍ରମୁଖ ଆହତ ହୋଇଛନ୍ତି। ଆହତ କ୍ରିଷ୍ଣା ବେହେରାଙ୍କ ଅଭିଯୋଗ ମୁତାବକ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ବୈଠକଙ୍କୁ କାହିଁକି ଡକାଯାଇନି ବୋଲି ପଚାରିବାରୁ ବିଜେଡି ଓ କଂଗ୍ରେସରୁ ଆସିଥିବା କିଛି କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ୩୧ ନମ୍ବର ଜୋନ୍ ସଭାପତି ଦିଲ୍ଲୀପ କୁମାର ରାଉତ କହିଛନ୍ତି ଯେ କ୍ରିଷ୍ଣା ‌ବେହେରା ଓ ଦିଲ୍ଲୀପ ପାଳ ବୈଠକରେ ପହଞ୍ଚି ସେମାନଙ୍କୁ କାହିଁକି ଡକାଗଲାନି ବୋଲି ପଚାରି ପାଟିତୁଣ୍ଡ କରିଥିଲେ। ସେମା‌ନଙ୍କ ଆକ୍ରମଣରେ ବୈଠକରେ ଉପସ୍ଥିତ ଜଣେ କର୍ମୀଙ୍କ ମୁଣ୍ଡ ଫାଟି ଯିବା ସହିତ ସେ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଅନ୍ୟ କିଏ ଆହତ ହୋଇଛନ୍ତି, ସେ ସଂପର୍କରେ ତାଙ୍କ ପାଖରେ ସୂଚନା ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି।