ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ସଂଘର୍ଷ; ୪ ଆହତ, ୧ ଗୁରୁତର

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଲସାଗୋରା ପଞ୍ଚାୟତ କୁଣ୍ଡାମାଲ ଗ୍ରାମରେ ପାଣି ନେବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନେକ ଦିନରୁ ଶ୍ରୀଦେବୀ ସୁନାଙ୍କ ପରିବାର ଓ ଅଜୁ ସୁନାଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗି ରହି ଆସିଛି। ଗୁରୁବାର ଅପରାହ୍‌ଣ ୪ଟାରେ ପାନୀୟ ଜଳ ପ୍ରକଳ୍ପରୁ ପାଣି ନେବାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଘମାଘୋଟ ଲଢେ଼ଇ ହୋଇଛି। ଉଭୟ ପରିବାର ପକ୍ଷରୁ କ୍ରିକେଟ ବ୍ୟାଟ ଓ ବାଡ଼ିରେ ମାଡ଼ ମାରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ଶ୍ରୀଦେବୀ ୧୦୦ ନମ୍ବରକୁ ଫୋନ କରି ଜଣାଇଲା ପରେ ମନମୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଉଦ୍ଧାର କରିଛି। ଏହି ଗ୍ରାମର ଅଜୁ ସୁନା(୩୨) ଓ ତା’ ଭାଇ ରଜୁ ସୁନା(୩୬) ମିଶି ତାଙ୍କ ପରିବାର ଲୋକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଶ୍ରୀଦେବୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ମନମୁଣ୍ଡା ଥାନାରେ କେସ ନମ୍ବର ୧୦୮/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟ ପକ୍ଷରେ ଏହି ଗ୍ରାମର କପିଳେଶ୍ୱର ସୁନା, ରିକେଶ ସୁନା ଓ ରଶ୍ମିତା ସୁନା ମିଶି ଗ୍ରାମର ଅଜୁ ଓ ରଜୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଜୁ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ୧୦୯/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି। ଏହି ସଂଘର୍ଷରେ ରାଜୁ, କପିଳେଶ୍ୱର ଓ ରିକେଶ ଆହତ ହୋଇଥିବା ବେଳେ ଅଜୁ ଗୁରୁତର ଆହତ ହୋଇ ପ୍ରଥମେ ମନମୁଣ୍ଡା ଓ ପରେ ଆମ୍ବୁଲାନ୍ସ ଯୋଗେ ସୋନପୁରକୁ ନେଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ତଦନ୍ତକାରୀ ପୁଲିସ ଅଧିକାରୀ ସନ୍ତୋଷ ମହାକୁଡ଼ କହିଛନ୍ତି।

ସମ୍ବନ୍ଧିତ ଖବର