ବିଜେପିର ସିଏମ୍‌ସି ଘେରାଉ ବେଳେ ତୁମୁଳକାଣ୍ଡ

ପୁଲିସକୁ ଅଣ୍ଡା, ଢେଲା, ବିଲାତି ଓ ଗୋବର ମାଡ

ଏଡିସିପିଙ୍କ ମୁଣ୍ଡ ଫାଟିଲା, କନଷ୍ଟେବଳ ଆହତ
ବିଳମ୍ବିତ ରାତିରେ ପୁରୀଘାଟ ଥାନା ଘେରାଉ

କଟକ : କଟକ ମହାନଗରର ସମସ୍ୟା, ବିଜେଡିର ବିଫଳତା ଏବଂ ସିଏମ୍‌ସିର ନିଷ୍କ୍ରିୟତାକୁ ପ୍ରସଙ୍ଗ କରି ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି। ଜାଇକା, ମଶା, ଏଲଇଡି ଲାଇଟ ଭଳି ପ୍ରସଙ୍ଗରେ ବିଜେପି ସିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଛି । କିନ୍ତୁ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ବିଲାତି, ଅଣ୍ଡା, ଗୋବର ଏବଂ ଢେଲା ମାଡ କରିଛନ୍ତି। ଏହି ଘଟଣାରେ ଏଡିସିପି ରାଜକିଶୋର ପାଇକରାୟଙ୍କ ମୁଣ୍ଡ ଫାଟିଥିବା ବେଳେ କନଷ୍ଟେବଳ ଭୁଜବଳ ମାଝି ଆହତ ହୋଇଛନ୍ତି। ବିଜେପିର ଦୁଇ ଜଣ ଯୁବ ନେତା ମଧ୍ୟ ଏଥିରେ ଆହତ ହୋଇଥିବା କୁହାଯାଉଛି।

ପୁଲିସ ଶତାଧିକ ବିଜେପି ନେତା ଓ କର୍ମୀଙ୍କୁ ଅଟକ ରଖି ଛାଡି ଦେଇଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତିରଂଜନ ପଲାଇଙ୍କୁ ଗିରଫ କରିଛି। ଅନ୍ୟପଟେ ପୁଲିସ ଗଣତାନ୍ତ୍ରିକ ବିରୋଧ କରୁଥିବା ରାଜନୈତିକ ନେତା ଓ କର୍ମୀଙ୍କୁ ଘରୁ ଏବଂ ହସ୍ପିଟାଲରୁ ଉଠାଇ ଆଣି ଗିରଫ କରିବା ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ପୁରୀଘାଟ ଥାନା ଘେରାଉ କରାଯାଇଛି । ବିଳମ୍ବିତ ରାତିରେ ବି ଥାନା ଆଗରେ ବରିଷ୍ଠ ନେତା ସମୀର ଦେ, ନୟନ ମହାନ୍ତି, ସଜ୍ଜନ ଶର୍ମା ପ୍ରମୁଖ ଧାରଣା ଦେଇ ବସିଛନ୍ତି।

ଏହି ଘଟଣାକୁ ନେଇ ବିଜେପି ବିଜେଡିରେ ଆକ୍ଷେପ ପ୍ରତିଆକ୍ଷେପ ବି ଚରମସୀମାରେ ପହଞ୍ଚିଛି। ବିଜେପି ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏଭଳି ଗଣ୍ଡଗୋଳ ବିଜେଡି ସମର୍ଥକଙ୍କ କାମ ବୋଲି କହିଥିବା ବେଳେ ବିଧାୟକ ଦେବାଶିଷ ସାମନ୍ତରାୟ ବିଜେପିର ଅସଲ ଚେହେରା ସାମନାକୁ ଆସିଛି ବୋଲି କହିଛନ୍ତି।

ଆଜି ବିଜେପିର ଦୁଇଟି ଶୋଭାଯାତ୍ରା କଲେଜଛକ ଏବଂ ଗୌରୀଶଙ୍କରପାର୍କଠାରୁ ବାହାରି ସିଏମସି ନିକଟରେ ପହଞ୍ଚିଥିଲା। ସେଠାରେ କର୍ମୀମାନେ ସିଏମସି କାର୍ଯ୍ୟାଳୟକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ମାତ୍ର ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଏନେଇ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା, ବିଲାତି, ଢେଲା ତଥା ଗୋବରମାଡ କରିଥିଲେ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନମନ୍ତ୍ରୀ ସମୀର ଦେ, ରାଜ୍ୟ ବିଜେପି ଉପସଭାପତି ନୟନ ମହାନ୍ତି, ରାଜ୍ୟ ବିଜେପି ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ପୀତାମ୍ବର ଆଚାର୍ଯ୍ୟ, ବିଶ୍ୱଜିତ ମହାନ୍ତି, କଟକ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ବିନୋଦ ଦାସ, ଲଲାଟେନ୍ଦୁ ବଡୁ, ସୌରଚନ୍ଦ୍ର ମହାପାତ୍ର, ପ୍ରଦୀପ ସ୍ୱାଇଁ, ପୀତାମ୍ବର ଆଚାର୍ଯ, କଳ୍ପନା ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ ଦୟାନିଧି ଲେଙ୍କା, ଶାକ୍ୟସିଂହ ମିଶ୍ର, ସ୍ମୃତିରଞ୍ଜନ ପଟ୍ଟନାୟକ, ସଜ୍ଜନ ଶର୍ମା, ଗୀତାରାଣୀ ଦାସ, ମଳୟଶଙ୍କର ରାୟ, ରାଜେନ୍ଦ୍ର ସାମଲ, ଶ୍ରୀତମ ଦାସ, ନିବେଦିତା ପ୍ରଧାନ, ଦେବାଶିଷ ଘୋଷ, ବିଜୟ ମହାପାତ୍ର, ସିକନ୍ଦର ଅଲ୍ଲୀ, ରଶ୍ମୀରେଖା ଦାସ, କର୍ପୋରେଟର ହେମନ୍ତ ବେହେରା, ନିରୋଦ ପଣ୍ଡା, ବୈଦେଶ୍ୱର ପଣ୍ଡା, ରାଜକୁମାରୀ ସ୍ୱାଇଁ, ବିଜୟ ଦଳେଇ,ରାମ ନାରାୟଣ ମହାନ୍ତି, ସ୍ମୃତିରଞ୍ଜନ ମିଶ୍ର, ସୁବ୍ରତ ଲେଙ୍କା, କାଳୀ ପ୍ରସାଦ ମହାନ୍ତି, ପ୍ରବୀଣ ବରାଳ, ସୁରେଶ ମହାନ୍ତି, ଅସୀମ ଅମିତାଭ ମହାନ୍ତି, ରୀତା ମହାନ୍ତି, ରାଜଶ୍ରୀ ମିଶ୍ର, ଆଶିଷ ମହାପାତ୍ର,ଅଶୋକ କୁମାର ସାହୁ,ସ୍ୱପ୍ନେଶର ଦାସ,ମନୋରଞ୍ଜନ ସାହୁ, ଅବିନାଶ ଗୁରୁ, ବିଶ୍ୱରଞ୍ଜନ ମିଶ୍ର ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର