ଲଇଡ଼ା : କତରବଗା ଥାନା ଲଇଡ଼ାରେ ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ ହେବାରୁ ପୁଲିସ ଉଭୟ ପକ୍ଷର ୮ଜଣଙ୍କୁ କତରବଗା ଥାନାରେ ଅଟକ ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ପୃଥ୍ବୀରାଜ ସିଂ ପୂର୍ବ ଆକ୍ରୋଶ ରଖି ସବିନା ବେଗମ (୩୨)ଙ୍କୁ ମାଡ଼ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ୮ ଜଣ ଯୁବକ ଠେଙ୍ଗାବାଡ଼ି ଧରି ପୃଥ୍ବୀରାଜଙ୍କ ଘରକୁ ଯାଇ ଅଭଦ୍ର ଭାଷାରେ ଗାଲିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। କୌଣସି ସୂତ୍ରରୁ କତରବଗା ଥାନା ଓ ଲଇଡ଼ା ଫାଣ୍ଡି ପୁଲିସ ଖବର ପାଇ ସେହି ଉତ୍ତେଜନା ସ୍ଥଳକୁ ପହଞ୍ଚି ଯିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୁଲିସ ପୃଥକ ମାମଲା ରୁଜୁ କରି ଉଭୟ ପକ୍ଷରୁ ୮ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ପୁଣି ଗଣ୍ଡଗୋଳ ଆଶଙ୍କା କରି ଗାଁରେ ଏକ ସେକ୍ସନ ପୁଲିସ ମୁତୟନ କରାଯାଇଥିବା ଡିଏସ୍ପି ଶିତିକାନ୍ତ କାନୁନଗୋ ସୂଚନା ଦେଇଛନ୍ତି।