ବୁର୍ଲା: ‘ଭିମ୍‌ସାର’ ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ‌ବେଳେ ରବିବାର ମଧ୍ୟରାତ୍ରିରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବାକ୍‌ବିତଣ୍ଡା ହୋଇ ମାରପିଟର ରୂପ ନେଇଥିଲା। ପିଜି ଛାତ୍ରଙ୍କ ଆକ୍ରମଣରେ ୩ଜଣ ହାଉସ୍‌ ସର୍ଜନ୍‌ ଆହତ ହୋଇଥିବା ଅଭିଯୋଗ କରି ବୁର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ। ‘ଭିମ୍‌ସାର’ର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥ ଥାନାରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରି ଫେରାଇ ଆଣିଥିଲେ। ଥାନାରେ କୌଣସି ଅଭିଯୋଗ ହୋଇନଥବା ବେଳେ ସୋମବାର ହାଉସ୍‌ ସର୍ଜନ ସଂଘ କାର୍ଯ୍ୟ ବନ୍ଦ ଡାକରା ଦେଇ ଡ୍ୟୁଟି ଯାଇନଥିଲେ। ଅପରାହ୍‌ଣରେ ‘ଭିମ୍‌ସାର’ କର୍ତ୍ତୃପକ୍ଷ ଉଭୟ ଛାତ୍ର ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି। ସନ୍ଧ୍ୟାରୁ ହାଉସ୍‌ ସର୍ଜନମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

Advertisment

‘ଭିମ୍‌ସାର’ରେ ଉତ୍ସବ ପାଳନ ବେଳେ ଗଣ୍ଡଗୋଳ 
ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ହାଉସ ସର୍ଜନ୍‌ 

ସୂଚନା ଅନୁସାରେ, ରବିବାର ରାତି ଥିଲା ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ‘ପ୍ରିସ୍‌ମସ୍‌-୨୦୨୪’ର ଉଦ୍‌ଯାପନୀ କାର୍ଯ୍ୟକ୍ରମ। ନାଚଗୀତ ଚାଲିଥିବା ବେଳେ ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମାଡ଼ପିଟ ହୋଇଥିଲା। ଏଥିରେ ପୂର୍ବ ଛାତ୍ର ସଭାପତି ପ୍ରଭାତ ଜେନା, ପୂର୍ବ ସାଧାରଣ ସମ୍ପାଦକ ଏନ.ବିଶ୍ବରଞ୍ଜନ ଓ ଅମିତ୍‌ ଶୁଭମ୍‌ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ହାଉସ୍‌ ସର୍ଜନ୍‌ ଡାକ୍ତର ସଂଘ ସୋମବାର କାର୍ଯ୍ୟବନ୍ଦ ଡାକରା ଦେଇ କର୍ତ୍ତୃପକ୍ଷଙ୍କ ନିକଟରେ ୪ଟି ଦାବି ରଖିଥିଲା। ଡ୍ୟୁଟି ସମୟରେ ଉଚିତ ସୁରକ୍ଷା, ପୁନର୍ବାର ଆକ୍ରମଣ ନହେବା ସହ ଆକ୍ରମଣ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟକ୍ଷେତ୍ରରେ କୌଣସି ଆକ୍ରମଣ ‌ନହେବାର ପ୍ରତିଶ୍ରୁତି ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଡ୍ୟୁଟିରୁମର ବ୍ୟବସ୍ଥା ପାଇଁ ଦାବି ରହିଥିଲା।

ଉଭୟ ଛାତ୍ର ସଂଘ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ନିର୍ଦ୍ଦେଶକ ପ୍ରଫେସର ରଥ ଅପରାହ୍‌ଣରେ ବୈଠକ ଡାକିଥିଲେ। ପିଜି ଛାତ୍ର, ହାଉସ୍‌ ସର୍ଜନ ଛାତ୍ରଙ୍କ ସହ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ଡାକ୍ତର ପ୍ରଦୀପ କୁମାର ମହାନ୍ତି ଓ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକ ଉପସ୍ଥିତ ଥିଲେ। ଉଭୟ ପକ୍ଷର ଛାତ୍ରଙ୍କ ସହ ଆଲୋଚନା ପରେ ସ୍ଥିତି ସ୍ବାଭାବିକ ହୋଇଛି। ଏ ସଂପର୍କରେ ନିର୍ଦ୍ଦେଶକ ଡା.ରଥଙ୍କୁ ପଚରାଯିବାରୁ ସେ କହିଥିଲେ, ସାମାନ୍ୟ କଥାକୁ ନେଇ ଛାତ୍ରଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା। ଆଲୋଚନା ମାଧ୍ୟମରେ ଆପୋସ ସମାଧାନ ହୋଇଛି। ଆଜି ସନ୍ଧ୍ୟାରୁ ହାଉସ୍‌ ସର୍ଜନ ଛାତ୍ରମାନେ ସ୍ବାଭାବିକ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି।