ସାର ପାଇଁ ରଣକ୍ଷେତ୍ର; ଢେଲା ପଥର ମାଡ଼ ସହ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଭଙ୍ଗାରୁଜା, ପୁଲିସର ଲାଠିଚାଳନା

ୟୁରିଆ ପାଇଁ ଲମ୍ବା ଧାଡ଼ିରେ ଆଧାର କାର୍ଡ

କୋଷାଗୁମୁଡ଼ା : ସାର ପାଇଁ ରଣକ୍ଷେତ୍ର ପାଲଟିଲା ଲ୍ୟାମ୍ପ୍‌ସ ପରିସର। ପ୍ରତିଶ୍ରୁତି ଅନୁସାରେ ସାର ମିଳିନଥିବାରୁ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ଲ୍ୟାମ୍ପ୍‌ସ ଫାଟକ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ। ଢେଲାପଥର ମାଡ଼ କରିଥିଲେ। ପରେ ପୁଲିସ୍‌ ପହଞ୍ଚି ଲାଠିଚାଳନା କରିବା ସହ ଚାଷୀମାନଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ ସଦର ମହକୁମାସ୍ଥିତ ଲ୍ୟ‌ାମ୍ପ୍‌ସ କାର୍ଯ୍ୟାଳୟ ପରିସରରେ ସାର ପାଇଁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

ସୂଚନା ଅନୁସାୟୀ, ଶୁକ୍ରବାର ସକାଳୁ ସାର ନେବାପାଇଁ ହଜାର ହଜାର ଚାଷୀ ଲ୍ୟାମ୍ପସକୁ ଆସି ଜମା ହୋଇଥିଲେ। ଗୋଟିଏ ବସ୍ତା ସାର ପାଇଁ ଚାଷୀ ନଖାଇ ନପିଇ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଅପରାହ୍‌ଣ ୪ଟାରେ ସାର ବଣ୍ଟନ ଶେଷ ହୋଇଥିବାବେଳେ ଅଧିକାଂଶ ଚାଷୀଙ୍କୁ ସାର ମିଳି ନଥିଲା। ସେତେବେଳକୁ ଲ୍ୟାମ୍ପସ୍‌ ପରିସରରେ ପ୍ରାୟ ୫ ହଜାର ଚାଷୀ ଜମା ହୋଇସାରିଥିଲେ। ସେମାନଙ୍କ ପାଇଁ ମାତ୍ର ୧୭ଶହ ପ୍ୟାକେଟ୍‌ ସାର ଥିଲା। ଫଳରେ, ସାର ନ ପାଇ ଚାଷୀମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଲ୍ୟାମ୍ପ୍‌ସ ପରିସରକୁ ଧସେଇ ପଶିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ। ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ମୃଦୁ ଲାଠି ଚାଳନା କରି ଚାଷୀଙ୍କୁ ସେଠାରୁ ଘୋଉଡ଼ାଇଥିଲା। ତେବେ ଆବଶ୍ୟକ ଅନୁସାରେ ସାର ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି। ଯଦି ସାର ନମିଳିଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲା‌ର ସମସ୍ତ ଅଞ୍ଚଳରେ ୟୁରିଆ ସାର ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ୟୁରିଆ ସାର ପାଇଁ କେଉଁଠି ରାସ୍ତାରୋକ୍ ତ ଆଉ କେଉଁଠି ବିକ୍ଷୋଭ ଜାରି ରହିଛି। ତେବେ ଲ୍ୟାମ୍ପସରେ ସରକାରୀ ଦରରେ ୟୁରିଆ ସାର ବିକ୍ରି କରାଯାଉଥିଲାବେଳେ ଏପଟେ ସାର ଯୋଗାଣକାରୀ କମ୍ପାନି ଲ୍ୟାମ୍ପସ ଗୁଡ଼ିକୁ ଆବଶ୍ୟକ ପରିମାଣରେ ସାର ଯୋଗାଇ ଦେବାପାଇଁ କୁନ୍ଥକୁନ୍ଥ। ତେଣୁ ଲ୍ୟାମ୍ପସକୁ ସାର ଆସିବା କ୍ଷଣି ହଜାର ହଜାର ସଂଖ୍ୟାରେ ଚାଷୀ ଆସି ଲମ୍ବା ଧାଡ଼ିରେ ଛିଡ଼ା ହୋଇପଡ଼ୁଛନ୍ତି। ତେବେ ୟୁରିଆ ସାର ବିକ୍ରିରେ ଦଲାଲକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଆଧାର କାର୍ଡ, ଜମିପଟ୍ଟା ବାଧ୍ୟତାମୂଳକ କରିଛନ୍ତି।

ନବରଙ୍ଗପୁର ଲ୍ୟାମ୍ପସକୁ ଦୀର୍ଘଦିନର ବ୍ୟବଧାନ ପରେ ଗତକାଲି ୟୁରିଆ ସାର ଆସିବା‌ ପରେ ହଜାର ହଜାର ସଂଖ୍ୟାରେ ଚାଷୀ ଆସି ସମାବେଶ ହୋଇଥିଲେ। ଏତେ ସଂଖ୍ୟକ ଚାଷୀ ଆସିଥିଲେ ଯେ ସମସ୍ତ ଚାଷୀଙ୍କୁ ସାର ଦେବାପାଇଁ ଦିନ ଦିନ ସମୟ ଲାଗିବ। ଚାଷୀ ମଧ୍ୟ ବିଚଳିତ ହୋଇପଡ଼ିଥିଲେ। ତେଣୁ ଚାଷୀ ନିଜେ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ଧାଡ଼ିରେ ଛିଡ଼ା ନହୋଇ ସେମାନଙ୍କ ଆଧାର କାର୍ଡ ଓ ଜମିପଟ୍ଟାକୁ ଧାଡ଼ିରେ ରଖିବା ପାଇଁ। ସେହି ଅନୁସାରେ ଚାଷୀ ମାନେ ସେମାନଙ୍କ ଆଧାର କାର୍ଡ ଓ ଜମିପଟ୍ଟା ଆଦି ପ୍ରମାଣ ପତ୍ରକୁ ଲମ୍ବା ଧାଡ଼ିରେ ସଜାଇ ରଖିଥିଲେ।

ସମ୍ବନ୍ଧିତ ଖବର