ଜମି ବିବାଦକୁ ନେଇ ଗଣ୍ଡଗୋଳ, ବଡ଼ଭାଇ ଓ ପୁତୁରାର ଆକ୍ରମଣରେ ସାନଭାଇ ମୃତ

ସଇନ୍ତଲା : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଶନିବାର ରାତିରେ ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ବଡ଼ଭାଇ ଦ୍ବିଜୟ ରଣା (୪୦) ଓ ପୁତୁରାର ଆକ୍ରମଣରେ ସାନଭାଇ ଡିଙ୍ଗର ରଣା (୩୨)ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, କୁମ୍ଭାରୀ ଗାଁର ସାନନ୍ଦ ରଣା ଓ ଧନସିଂ ରଣା ଦୁଇ ଭାଇ। ଉଭୟଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ହୋଇଥିଲା। ଫଳରେ ସାନନ୍ଦଙ୍କ ପୁଅ ଡିଙ୍ଗର ଓ ଧନସିଂଙ୍କ ପୁଅ ଦ୍ବିଜୟ ମଧ୍ୟରେ ଗଣ୍ତଗୋଳ ଲାଗି ରହିଥିଲା। ଶନିବାର ରାତି ୯ଟାରେ ପୁଣି ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ଦ୍ବିଜୟ ଓ ତାଙ୍କ ପୁଅଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଡିଙ୍ଗରଙ୍କ ମୃତ୍ୟୁ ହୋଇଥିଲା। ଏହି ଗଣ୍ଡଗୋଳରେ ଦ୍ବିଜୟ ମଧ୍ୟ ଗୁରୁତର ହୋଇଥିଲେ।

ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ସଇନ୍ତଲା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତର ଥିବା ଦ୍ବିଜୟ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେ‌ଳେ ତାଙ୍କ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ମୃତ ଡିଙ୍ଗରଙ୍କ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏ ନେଇ ସଇନ୍ତଲା ଥାନାରେ ଏକ ମାମଲା ରୁଜୁ କରି ଶ୍ରୀ ପଟ୍ଟନାୟକ ଅଧିକ ତଦନ୍ତ କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସପ୍ତାହକ ତଳେ ସଇନ୍ତଲା ଥାନା ବଡ଼ମାଳରେ ମଧ୍ୟ ଜମି ବିବାଦକୁ ନେଇ ଭାଇକୁ ଭାଇ ହତ୍ୟା କରିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର