ପ୍ରେମ ପାଇଁ ମହାଭାରତ: ସ୍ତ୍ରୀକୁ ମାଡ଼ ମାରିଲେ ସ୍ବାମୀ ଓ ପ୍ରେମିକା

ଅସୁରାଳି: ଉଭୟ ପ୍ରେମିକ ଓ ପ୍ରେମିକା ବିବାହିତ। ଘର ସଂସାର ଥାଉ ପରସ୍ପର ପ୍ରେମରେ ପଡ଼ିବା ଘଟଣା ପ୍ରେମିକଙ୍କ ସ୍ତ୍ରୀ ନଜରକୁ ଆସିବା ପରେ ମହାଭାରତ ସୃଷ୍ଟି ହୋଇଛି। ନିଜ ସ୍ୱାମୀଙ୍କ ପିଛା ଛାଡି ତାଙ୍କ ଘର ସଂସାରକୁ ବଞ୍ଚାଇ ଦେବାକୁ ପ୍ରେମିକାଙ୍କ ଘରେ ପହଞ୍ଚି ଅନୁରୋଧ କରୁଥିବା ସ୍ତ୍ରୀକୁ ତାଙ୍କ ସ୍ବାମୀ ଏବଂ ପ୍ରେମିକା ମାଡ ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ନିକଟସ୍ଥ ଗୋବିନ୍ଦପୁର ଅଞ୍ଚଳରେ।

ଧାମନଗର ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବତୀ ଭଲ ପାଇ ମାଲକାନାଗିରି ଜିଲ୍ଲାର ଜଣେ ଯୁବକଙ୍କୁ ପ୍ରାୟ ସାତ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି। ଗତ କରୋନା ସମୟରେ ଏହି ଯୁବତୀଙ୍କ ସ୍ବାମୀ ଫେସ୍ ବୁକ୍ ଦ୍ବାରା ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ଏହାକୁ ନେଇ ମାମଲା ଥାନା ଯାଏଁ ଯାଇଥିଲା। ଏହି ଘଟଣା ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜି ମାମଲା କୋର୍ଟରେ ପହଁଞ୍ଚିଛି। ଯୁବତୀ ଜଣକ ଏବେ ବାପ ଘରେ ରହୁଥିବା ବେଳେ ଏହା ମଧ୍ୟରେ ତାଙ୍କର ଭଦ୍ରକ ଗେଲପୁର ଅଞ୍ଚଳର ଅନ୍ୟ ଜଣେ ବିବାହିତ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏ ଘଟଣା ବିବାହିତ ଯୁବକଙ୍କ ସ୍ତ୍ରୀ ପରିବାର କୌଣସି ପ୍ରକାର ଜାଣି ଯାଇଛନ୍ତି।
କିଛି ଦିନ ତଳେ ପ୍ରେମିକ ଯୁବକଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏଭଳି ଅନୈତିକ ଘଟଣାରୁ ନିବୃତ୍ତ ରହିବାକୁ ଉଭୟ ଯୁବକ ଯୁବତୀକୁ ତାଗିଦ୍ କରିଥିଲେ। ‌ହେଲେ ଏହାର କୌଣସି ପ୍ରଭାବ ସେମାନଙ୍କ ଉପରେ ପଡ଼ିନଥିଲା। ଦୁଇ ଦିନ ପୂର୍ବେ ବିବାହିତ ଯୁବକଙ୍କ ସ୍ତ୍ରୀ ତାଙ୍କର ପରିବାର ଲୋକଙ୍କ ସହିତ ଆସି ଗୋବିନ୍ଦପୁର ଠାରେ ପହଞ୍ଚି ଯାଇଥିଲେ। ତାଙ୍କ ସ୍ୱାମୀଙ୍କ ପ୍ରେମରେ ପଡିଥିବା ପ୍ରେମିକାଙ୍କୁ ଭେଟି କାହିଁକି ତାଙ୍କ ସଂସାର ଭାଙ୍ଗି ଦେଉଛ ଏବଂ ଏଭଳି କରିବା ଦ୍ବାରା କାହାରି ଲାଭ ହେବନି ବୋଲି ବୁଝିବାକୁ ଚେଷ୍ଟା କରିଥିଲେ।

ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସ୍ୱାମୀରୁ ପ୍ରେମିକ ସାଜିଥିବା ଯୁବକ ଏଠାରେ ପହଞ୍ଚି ଯାଇଥିଲେ। ସ୍ତ୍ରୀକୁ ଏଠାରେ ଦେଖି କ୍ରୋଧାନ୍ବିତ ହୋଇ ଯୁବକ ଜଣକ ତାଙ୍କୁ ଗାଳିଗୁଲଜ କରିବା ସହ ସର୍ବସମ୍ମୁଖରେ ମାଡ ମାରିଥିଲେ। ପ୍ରେମିକା ମଧ୍ୟ ଏହି ମଉକାରେ ମହିଳା ଜଣଙ୍କ ଉପରେ ମାଡ ମାରିବା ପାଇଁ ପଛାଇନଥିଲେ। ପାଟିତୁଣ୍ଡ ଚାଲିଥିବା ବେଳେ ଗାଁର କିଛି ଯୁବକ ସେଠାରେ ପହଞ୍ଚି ଯୁବକଙ୍କୁ ତାଗିଦ୍ କରିବା ପରେ ମାମଲା ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର