ପାଣି ପାଇଁ ବିସ୍ଫୋରକ ସ୍ଥିତି; ପ୍ରକଳ୍ପସ୍ଥଳ ଛାରଖାର, ଟ୍ରକ୍, ଜେସିବି ଭଙ୍ଗାରୁଜା

ଉଗ୍ର ରୂପ ନେଲା ଖରସ୍ରୋତା ଆନ୍ଦୋଳନ, ତହସିଲଦାରଙ୍କୁ ଠେଲାପେଲା, ପୁଲିସ ପିଟିଲା

ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ର ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗୁରୁବାର ବିସ୍ଫୋରକ ରୂପ ନେଇଛି। ଗୁରୁବାର ହଜାର ହଜାର ଗ୍ରାମବାସୀ ଆନ୍ଦୋଳନରେ ସାମିଲ୍‌ ହେବାସହିତ ପୁଲିସ୍‌ ବ୍ୟାରେକେଡ୍‌କୁ ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ। ଜେସିବି ମେସିନ୍, ହାଇୱା ଟ୍ରକ୍‌, ଡିଜି ଜେ‌ନ୍‌ସେଟ୍‌କୁ ଭଙ୍ଗାରୁଜା କରିଥିଲେ। କମ୍ପାନିର ଅସ୍ଥ‌ାୟୀ କ୍ୟାମ୍ପକୁ ବି ଛାର୍‌ଖାର୍‌ କରିଦେଇଥିଲେ। ଲୋକମାନଙ୍କ ଆକ୍ରୋଶ ଦେଖି କମ୍ପାନି କର୍ମଚାରୀ ଛତ୍ରଭଙ୍ଗ ଦେଇଥିଲେ। ଗୋଟିଏପଟେ ଆନ୍ଦୋଳନକାରୀମାନେ ତହସିଲ୍‌ଦାର୍‌ଙ୍କୁ ଠେଲାପେଲା କରିଥିବାବେଳେ ଅନ୍ୟପଟେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ପିଟିଥିଲେ। ଆନ୍ଦୋଳନକାରୀମାନେ ବି ପାଲଟା ଜବାବ ଦେଇଥିଲେ। ଫଳରେ, ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପ୍ରକଳ୍ପ ସ୍ଥଳ ସମେତ ତିନି ପଞ୍ଚାୟତରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଆଇଜି ନରସିଂହ ଭୋଳ, ଏସ୍‌ପି ମଦକର ସନ୍ଦୀପ ସଂପଦଙ୍କ ସମେତ ଅନ୍ୟ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ କରି ହେଉଥିବା ଦୁଇବର୍ଷ ଧରି ଆନ୍ଦୋଳନ ଚାଲିଆସୁଛି। ସ୍ଥାନୀୟ ଜନସାଧାରଣ ତଥା ଆନ୍ଦୋଳନକାରୀଙ୍କ ଯୁକ୍ତି ହେଉଛି, ଖ‌ରସ୍ରୋତାର ମଧୁର ଜଳକୁ ଭଦ୍ରକ ପାନୀୟ ପ୍ରକଳ୍ପ ପାଇଁ ଦିଆଗଲେ ସ୍ଥାନୀୟ କନିକା ଓ ଆଳି ଅଂଚଳରେ ଭୂତଳ ଜଳସଙ୍କଟ ଦେଖାଦେବ। ଏଥିସହିତ ଲୁଣି ପାଣି ଚାଷ ଜମିକୁ ନଷ୍ଟ କରିଦେବ। ଗତ ମଙ୍ଗଳବାର ଦିନ ଠିକା କମ୍ପାନି ପ୍ରସ୍ତାବିତ ଭାରୀଗଦାସ୍ଥିତ ଖରସ୍ରୋତା ନଦୀ ଶଯ୍ୟାରେ ପ୍ରକଳ୍ପ କାମ ଆରମ୍ଭ କରିବାରୁ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା। ପ୍ରଶାସନ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ପ୍ରକଳ୍ପସ୍ଥଳ ସମେତ ଏହାକୁ ଲାଗି ରହିଥିବା ତିନିଟି ପଂଚାୟତ ବରୁଣାଡିହ, ଭାରୀଗଦା ଓ ବାଳକାଟିରେ ୧୪୪ ଧାରା ଲଗାଇଥିଲା। ମାତ୍ର ସଂଗ୍ରାମ ସମିତି କର୍ମକର୍ତ୍ତା ଆନ୍ଦୋଳନ କରିବାରୁ ୧୪୪ ଧାରା ଭଂଗ କରିଥିବା ଦର୍ଶାଇ ଗତ ମଂଗଳବାର ଦିନ ଦୁଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଦୋଳଗୋବିନ୍ଦ ନାୟକଙ୍କ ସମେତ ଦୁଇ ଶହରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ି ଦେଇଥିଲା। ଏହାପରଠୁ ଅସନ୍ତୋଷ ଆହୁରି ଭୀଷଣ ରୂପ ଧାରଣ କରିଥିଲା।

ଏଭଳି ସ୍ଥିତିରେ ଗତକାଲି ସଂଗ୍ରାମ ସମିତି କଣ୍ଟପଡ଼ା ପଂଚାୟତରେ ଆୟୋଜିତ ବୈଠକରେ ଖରସ୍ରୋତାକୁ ବଂଚାଇବା ପାଇଁ ମହାସଂଗ୍ରାମ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁରୁବାର ସକାଳ ୯ଟାରେ ଅଚ୍ୟୁତପୁର ଅନ୍ଧାରଘରଣୀ ଠାକୁରାଣୀ ପୀଠରେ ଏକାଠି ହେବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା। ପୁଲିସ ଏହାକୁ ଦୃଷ୍ଟିରେ ରଖି ଚନ୍ଦନ ପୋଖରୀ ଛକ, ଅଚ୍ୟୁତପୁର ଛକ, ଭାରୀଗଦା, ବରୁଣାଡିହା ଛକ ଓ ବାଳକାଟି ଛକରେ ବ୍ୟାରିକେଟ ଲଗାଇ ଲୋକମାନଙ୍କୁ ଯାଞ୍ଚ କରୁଥିଲା। କିନ୍ତୁ ସଂଗ୍ରାମ ସମିତି ଡାକରାରେ ହଜାର ହଜାର ମହିଳା ଓ ପୁରୁଷ ଏକାଠି ହୋଇ ‘ଖରସ୍ରୋତାରେ ପାଣି ନାହିଁ, ଭଦ୍ରକ ଯିବ କ’ଣ ପାଇଁ ’ ନାରା ଦେଇ ପ୍ରକଳ୍ପସ୍ଥଳ ଅଭିମୁଖେ ଶୋଭଯାତ୍ରାରେ ବାହାରିଥିଲେ। ପୁଲିସ ସେମାନଙ୍କୁ ପ୍ରଥମେ ବରୁଣାଡ଼ିହା, ପରେ ଅଚ୍ୟୁତପୁର ଛକରେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ବ୍ୟାରିକେଟ୍ ଭାଙ୍ଗି ପ୍ରକଳ୍ପସ୍ଥଳକୁ ଧସେଇ ପଶିଥିଲେ। ୧୪୪ ଧାରା ଜାରି ହୋଇଥିବା ସତ୍ତ୍ବେ ଲୋକେ ତାହାକୁ ବି ମାନି ନଥିଲେ। ଭିତରକୁ ପଶିବା ପରେ କମ୍ପାନିର ଅସ୍ଥାୟୀ ଗୃହ, ପାଣିଟାଙ୍କି, ମେସିନ୍, ହାଇୱା, ଟ୍ରଲର୍, କାର୍, ଆମ୍ବୁଲାନ୍ସ, ଚେୟାର ଇତ୍ୟାଦି ଭାଙ୍ଗିବା ସହ ହାଇୱା ଟାଙ୍କିରୁ ତେଲ ଖୋଲି ଦେଇଥିଲେ। ଟେକା ପଥର ବି ମାଡ଼ କରିଥିଲେ। ମାତ୍ର ଘଣ୍ଟାକ ଭିତରେ ପ୍ରକଳ୍ପ ସ୍ଥାନଟି ଛିନ୍‌ଛତ୍ର ହୋଇଯାଇଥିଲା। ପୁଲିସ ସହିତ ଧସ୍ତାଧସ୍ତି, ଠେଲାପେଲା ହେବା ଯୋଗୁ ସଂଗ୍ରାମ ସମିତିର ସଭାପତି ଦୁ‌େ‌ର୍ଯ୍ୟାଧନ ମହାନ୍ତି, ସଂପାଦକ ବିଧାନ ଦାସ, ଶରତ ରାଉତ, ଲିପ୍ପା ନାୟକ ‌ଆହତ ହୋଇଥିବା ବେଳେ ସେମାନଙ୍କୁ ଅଟକାଇବାକୁ ଯାଇ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସଂଧ୍ୟାରାଣୀ ବେହୁରିଆ ଆହତ ହୋଇଥିଲେ। ଅନ୍ୟପଟେ ପ୍ରକଳ୍ପ ପୂର୍ବରୁ ସେଠାରେ ବ୍ୟାରେଜ୍ ନିର୍ମାଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗ୍ରାମ ସମିତି ଘୋଷଣା କରିଛି।

ଏ ପ୍ରସଙ୍ଗରେ କିନ୍ତୁ ଜିଲ୍ଳାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେ କାମ ବନ୍ଦ ହେବ ନାହିଁ। ପୂର୍ବଭଳି ଚାଲୁ ରହିବ। ଆଜି ହିଂସା ଯୋଗୁଁ ଯାହା ସବୁ କ୍ଷୟକ୍ଷତି ହୋଇଛି, ତାହାକୁ ତୁରନ୍ତ ମରାମତି କରି ଦିଆଯିବ। ଆଇନଶୃଙ୍ଖଳା ପରିସ୍ଥିତି ପୁଲିସ ବୁଝିବ। ତାଛଡା ଅଦାନିକୁ ପ୍ରକଳ୍ପକୁ ପାଣି ଯିବ ବୋଲି ଯେଇଁ ପ୍ରଚାର କରାଯାଉଛି, ତାହା ସଂପୂର୍ଣ୍ଣ ମିଛ ବୋଲି ଜିଲ୍ଳାପାଳ ସ୍ପଷ୍ଟ କରିବା ସହିତ ଉଭୟ ଭଦ୍ରକ ଏବଂ ଆଳି-କନିକା ପାଇଁ ହୋଇଥିବା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାତ୍ର ୪ରୁ ୫ପ୍ରତିଶତ ପାଣି ଖରସ୍ରୋତାରୁ ଯିବ। ତେଣୁ ଭୂତଳ ଜଳ ସଂକଟ ଏବଂ ଲୁଣି ପାଣି ଚରିଯିବ ବୋଲି ଯାହା କୁହାଯାଉଛି, ତାହା ଭୁଲ୍ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର