ମନ୍ତ୍ରୀ ସମର୍ଥକଙ୍କ ଗୁଣ୍ଡାରାଜ : ଖୁଦୁରୁକୁଣୀ ମେଢ଼ ଭସାଣି ବେଳେ ଟ୍ରାକ୍ଟର ଭଙ୍ଗାରୁଜା, ୩ ଜଣଙ୍କୁ ମାଡ଼, ଥାନା ଏବଂ ଫାଣ୍ଡିରେ ୨ ଏତଲା

ଆନନ୍ଦପୁର : ପୁଣି ମନ୍ତ୍ରୀ ସମର୍ଥକଙ୍କ ପାଇଁ ଅଶାନ୍ତ ହୋଇ ପଡିଛି ରାମଚନ୍ଦ୍ରପୁର ଅଞ୍ଚଳ। ଆଜି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକମାନେ ଖୁଦୁରୁକୁଣୀ ମେଢ଼ ଭସାଣି ବେଳେ ଏକ ଟ୍ରାକ୍ଟରକୁ ଭଙ୍ଗାରୁଜା କରିବା ସହ ଟ୍ରାକ୍ଟର ଡ୍ରାଇଭର ସମେତ ୩ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏ ନେଇ ସାଇଁକୁଳ ଫାଣ୍ଡି ଏବଂ ରାମଚନ୍ଦ୍ରପୁର ଥାନାରେ ଦୁଇଟି ଏତଲା ହୋଇଛି। ପୁଅ ଦେବାଶିଷଙ୍କ ଅପରାଧ ମାମଲାକୁ ନେଇ ବିବାଦରେ ଛନ୍ଦି ହୋଇଥିବା ବଦ୍ରି ନାରାୟଣ ପାତ୍ରଙ୍କ ପାଇଁ ଏହି ଘଟଣା ପୁଣି ଅଡୁଆ ବଢ଼ାଇଛି।

ଘଟଣାରୁ ପ୍ରକାଶ ଯେ ଆଜି ରାତିରେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ବେହେରା ସାହିର ଖୁଦୁରୁକୁଣୀ ମେଢ଼ ଭସାଣି ପାଇଁ ଶୋଭାଯାତ୍ରା ଯାଉଥିଲା। ଏହି ଶୋଭାଯାତ୍ରାରେ ମହିଳାମାନେ ମେଢ଼ ପଛେ ପଛେ ଯାଉଥିଲେ। ଗୋବର ଗଳି ନୂଆଗାଁରେ ଏକ ଏକାଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ସେହି ରାସ୍ତାରେ ଯାଉଥିବା ବେଳେ ଶୋଭାଯାତ୍ରା ଯୋଗୁଁ ତାଙ୍କ ଗାଡ଼ି ଅଟକିଥିଲା। ପ୍ରାୟ ୧୦ ମିନିଟ ମନ୍ତ୍ରୀଙ୍କ ଗାଡ଼ି ଅଟକିବା ପରେ ତାଙ୍କ ସମର୍ଥକମାନେ ଭସାଣି ପାଇଁ ନିଆଯାଉଥିବା ଟ୍ରାକ୍ଟରକୁ ଭାଙ୍ଗିବା ସହ ଡ୍ରାଇଭରକୁ ମାଡ଼ ମାରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ମନ୍ତ୍ରୀ ସମର୍ଥକମାନେ ଆଉ ଦୁଇଜଣଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହି ଉତ୍ତେଜନା ମଧ୍ୟରେ ମନ୍ତ୍ରୀଙ୍କ ଗାଡ଼ି ରାସ୍ତା ପାର ହୋଇ ଚାଲିଯାଇଥିଲା। ତେବେ ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣ ଘଟଣା ନେଇ ନାରାୟଣ ରାଉତ ନାମକ ଜଣେ ବ୍ୟକ୍ତି ରାମଚନ୍ଦ୍ରପୁର ଥାନା‌େର ଏତଲା ଦେଇଥିବା ବେଳେ ରବୀନ୍ଦ୍ର ରାଉତ ସାଇଁକୁଳ ଫାଣ୍ଡିରେ ଏତଲା ଦେଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୋଭାଯାତ୍ରାକାରୀଙ୍କୁ ସୁରକ୍ଷା ଦେଇ ଭସାଣି ଗାଡ଼ିକୁ ନେଇଥିଲା। ଏ ନେଇ ସାଇଁକୁଳ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ବିଷୋୟୀଙ୍କୁ୍ଯୋଗାଯୋଗ କରାଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା କହିଛନ୍ତି। ତେବେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର