ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ତୁମୁଳକାଣ୍ଡ ଘଟିଛି। ବିରୋଧୀ ଗୋଷ୍ଠୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ପଥର ଓ ଇଟାମାଡ଼ରେ ଟାଉନ୍‌ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଥିବା ବେଳେ ସିଟି ଡିଏସ୍‌ପିଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ କରିବା ସହ ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ତହସିଲଦାରଙ୍କ ଗାଡ଼ି ସହ ବାଇକ୍‌, ସାଇକେଲ୍‌ ଭାଙ୍ଗିଲେ
ଲାଠିଚାର୍ଜ, ୧୬୩ ଧାରା ଲାଗୁ, 
୭ ପ୍ଲାଟୁନ୍ ଫୋର୍ସ ମୁତୟନ 

ସୂଚନା ଅନୁସାରେ; ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧରେ ମନ୍ତବ୍ୟ ପୋଷ୍ଟ କରିଥିଲେ। ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ କରିବା ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ଆଜି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ରହିବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଠେଲାପେଲା ଏବଂ ପରେ ଆକ୍ରମଣ ଯାଏ କଥା ଯାଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଏମିତିକି ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଟାଉନ୍‌ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯିବା ସହ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।

ସେହିପରି ଭଦ୍ରକ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ି ସହ ରାସ୍ତାରେ ଥିବା କିଛି ବାଇକ୍‌ ଓ ସାଇକେଲ୍‌କୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ଲାଠିଚାର୍ଜ କରିଥିଲା। ଏହି ଘଟଣା ପରେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଥିଆ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି। ସ୍ଥିତି ସ୍ବାଭାବିକ ନ ହେବା ଯାଏ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି। ୭ ପ୍ଲାଟୁନ୍‌ରୁ ଅଧିକ ପୁଲିସ୍‌ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି। କିଛି ଆନ୍ଦୋଳନକାରୀ ଥାନାରେ ଅଟକ ଥିବା ବେଳେ ସେମାନଙ୍କୁ ପଚରାଉଚରା ଚାଲିଛି।