ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ

ଦୋକାନ ଛିନ୍‌ଛତ୍ର, ଟେକାପଥର ମାଡ଼, ୫ ବାଇକ୍‌ ଚୂର୍‌ମାର୍‌

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବତନ ସରପଞ୍ଚ ଗୋଷ୍ଠୀ ଏବଂ ବର୍ତ୍ତମାନର ସରପଞ୍ଚ ଗୋଷ୍ଠୀ ମଧ୍ୟରେ ଆଜି ଅପରାହ୍‌ଣରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ଗୋଷ୍ଠୀର ଆକ୍ରମଣରେ ଗୋଟିଏ ଦୋକାନ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ୫ଟି ବାଇକ୍‌ ଚୂର୍‌ମାର୍‌ ହୋଇଯାଇଛି। ଏହାକୁ ନେଇ ଗାଁ’ରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଅନୈତିକ ସଂପର୍କର ଭିଡ଼ିଓ ଭାଇରାଲ୍‌ ହେବାକୁ କେନ୍ଦ୍ର କରି ଗୋବିନ୍ଦପୁର ଗ୍ରାମର ଉପର ସାହିରେ ରହୁଥିବା ବର୍ତ୍ତମାନର ସରପଞ୍ଚଙ୍କ ସ୍ୱାମୀ ଏବଂ ତାଙ୍କ ସମର୍ଥକଙ୍କ ସହିତ ଗାଁ ତଳସାହିରେ ରହୁଥିବା ପୂର୍ବତନ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଗତ ୮/୯ ମାସ ହେଲା ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଯଦିଓ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ଆପୋଷ ମିଳାମିଶା ହୋଇଥିଲେ, କିନ୍ତୁ ପୁଲିସ୍‌ ପକ୍ଷରୁ କିମ୍ବା ଗାଁ ଶାନ୍ତି କମିଟି ମାଧ୍ୟମରେ ଏହାର ସ୍ଥାୟୀ ସମାଧାନ ହୋଇ ପାରିନଥିଲା। ଏମିତିକି ଗତ ସରପଞ୍ଚ ନିର୍ବାଚନ ସମୟରେ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁ ନେଇ ଛକାପଂଝା ଲାଗି ରହିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା।

ବର୍ତ୍ତମାନର ସରପଞ୍ଚଙ୍କ ପୁତୁରା ସମର ଗୋବିନ୍ଦପୁର ଛକକୁ ଜଳଖିଆ ନେବାକୁ ଆଜି ସକାଳେ ଆସିଥିବା ବେଳେ ଅପରପକ୍ଷର ନିରଜ ବେହେରାଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଘଟଣା ସମ୍ପର୍କରେ ସମର ଯାଇ ନିଜ ଘରେ କହିବା ପରେ ତାଙ୍କ ପରିବାର ଲୋକେ ଗୋବିନ୍ଦପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଉପର ସାହିର କେତେକ ଯୁବକ ପ୍ରତିଶୋଧ ପରାୟଣ ହୋଇ ଅପରାହ୍‌ଣରେ ଗୋବିନ୍ଦପୁର ଛକକୁ ଆସି ସେଠାରେ ନିରଜଙ୍କ ଭାଇ ସରୋଜ କରିଥିବା ପାନ ଦୋକାନକୁ ବାଡ଼ିଆପିଟା କରି ଭାଙ୍ଗି ଦେଇଥିଲେ। ତା’ ସହିତ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏତିକିରେ ସେମାନେ ସନ୍ତୁଷ୍ଟ ନ ହୋଇ ଦଳବଦ୍ଧ ଭାବେ ବାଇକ୍‌ରେ ତଳସାହିକୁ ଯାଇ ଧମକଚମକ ଦେବା ସହିତ ଦାଦାଗିରି ଆରମ୍ଭ କରିଥିଲେ।

ଫଳରେ ତଳସାହି ବାସିନ୍ଦା ଏକାଠି ହୋଇ ଉପର ସାହିର ଯୁବକମାନଙ୍କୁ ପ୍ରତିରୋଧ କରିବା ସହ ଟେକାପଥର ମାଡ଼ କରି ସେମାନଙ୍କୁ ବାଡ଼େଇବାକୁ ତଡ଼ିଥିଲେ। ଫଳରେ ଉପର ସାହିର ଯୁବକମାନଙ୍କ ମଧ୍ୟରୁ କେତେକ ନିଜ ବାଇକ୍‌ ଛାଡ଼ି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତଳସାହି ବାସିନ୍ଦା ଯୁବକମାନେ ଛାଡ଼ି ଯାଇଥିବା ୫ଟି ବାଇକ୍‌କୁ ବାଡ଼େଇ ଚୂରମାର୍‌ କରି ଦେଇଛନ୍ତି। ସଦର ଥାନା ପୁଲିସ ଗ୍ରାମରେ ପହଞ୍ଚି ତଳସାହିର ନିରଜଙ୍କୁ ଆଣି ଥାନାରେ ଅଟକ ରଖିଛି। ଉଭୟ ପକ୍ଷର ଗଣ୍ଡଗୋଳକାରୀ ଗାଁ’ରୁ ଫେରାର୍‌ ହୋଇ ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜି ଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ବୋଲି ସଦର ଥାନା ଅଧିକାରୀ ହାଡ଼ିବନ୍ଧୁ ସ୍ୱାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର