ଶ୍ରୀମନ୍ଦିରରେ ଉଡ଼ିଲା କାଠ ଫାଳିଆ: ଜେଟିପି ମାଡ଼ରେ ଜେଟିପିଙ୍କ ମୁଣ୍ଡ ଫାଟିଲା

ଭିତର କାଠରେ ରକ୍ତଛିଟା, ମହାପ୍ରଭୁଙ୍କ ବଡ଼ମହାସ୍ନାନ
୨ ଘଣ୍ଟା ନୀତି ବିଳମ୍ବ, ନୀତି ପ୍ରଶାସକଙ୍କ ତଦନ୍ତ ନିର୍ଦ୍ଦେଶ

ପୁରୀ : ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ଥିବା ଜେଟିପିମାନେ ଆଜି ସବୁ ସୀମା ଲଂଘିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ଆଜି ଶ୍ରୀମନ୍ଦିରରେ କାଠ ଫାଳିଆ ଉଡ଼ିଛି। ଜେଟିପିଙ୍କ ମାଡ଼ରେ ଅନ୍ୟ ଜଣେ ଜେଟିପି ଗୁରୁତର ହୋଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଭିତର କାଠରେ ରକ୍ତଛିଟା ପଡ଼ିବା ସହ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତି ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ମହାପ୍ରଭୁଙ୍କୁ ଭୋକରେ ରହିବାକୁ ପଡ଼ିଥିଲା। ଶ୍ରୀମନ୍ଦିର ନୀତିଶୃଙ୍ଖଳା ଦାୟିତ୍ବରେ ଥିବା ଜେଟିପିମାନଙ୍କ ଏହି ଚରମ ବିଶୃଙ୍ଖଳା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ବଦନାମ୍‌ ହେବାକୁ ପଡ଼ିଛି। ଏହି ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ନିର୍ଦ୍ଦେଶକ୍ରମେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆଜି ସୁରକ୍ଷା ପ୍ରଶାସକଙ୍କୁ ଏହାର ସବିଶେଷ ଜବାବ ମାଗିଛନ୍ତି।

ରବିବାର ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା। ଗର୍ଭଗୃହରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଥିଲା। ଏହି ସମୟରେ ହଠାତ୍‌ ଶ୍ରୀମନ୍ଦିର ବେହେରଣ ଦ୍ବାରରେ କାଠ ଫାଳିଆ ଉଡ଼ିଥିଲା। ଜଣେ ଜେଟିପି ଅନ୍ୟ ଜଣେ ଜେଟିପିଙ୍କୁ କାଠ ଫାଳିଆରେ ଆକ୍ରମଣ କରି ଚାଲିଥିଲେ। ଯେଉଁଥିପାଇଁ ପ୍ରବଳ ରକ୍ତସ୍ରାବ ହେବା ସହ ଭିତରକାଠରେ ରକ୍ତଛିଟା ପଡ଼ିଥିଲା। ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ଣ ପ୍ରାୟ ସ‌ାଢ଼େ ୨ଟା ହେବ ବେହରଣ ଦ୍ବାର ନିକଟରେ ଜେଟିପି ମନୋଜ ପାଣିଗ୍ରାହୀ ଓ ଜେଟିପି ଗଙ୍ଗା ପ୍ରଧାନ ଡ୍ୟୁଟି କରୁଥିଲେ। ଅନ୍ୟ ଜେଟିପିମାନେ ବି ପାଖରେ ବସିଥିଲେ। କୌଣସି କଥାକୁ କେନ୍ଦ୍ର କରି ଦୁଇଜଣଙ୍କ ଭିତରେ ଟାହିଟାପରା ଚାଲିଥିଲା। ପରିବାରକୁ ନେଇ ଉଭୟ ଉଭୟଙ୍କୁ ଆକ୍ଷେପ କରିଥିଲେ। ପରେ କଥା କଟାକଟି ଓ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ଗଙ୍ଗା ପାଖରେ ଥିବା ଏକ କାଠ ଫାଳିରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ମନୋଜଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରେ ସଙ୍ଗେ ସଙ୍ଗେ ମନୋଜଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ମନୋଜ ଘରକୁ ଫେରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି।

ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ମଧ୍ୟାହ୍ନ ଧୂପ ପରେ ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ବେଶ ଓ ଦ୍ବିତୀୟ ‌ଭୋଗମଣ୍ଡପ ନୀତି ବିଳମ୍ବ ହୋଇଥିଲା। ସାଢ଼େ ୪ଟାରେ ଦ୍ବିତୀୟ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ଘଟଣାକୁ ସଙ୍ଗିନ ବୋଲି ଦର୍ଶାଇବା ସହ ସୋମବାର(ଏପ୍ରିଲ ୧୯ ତାରିଖ) ସୁଦ୍ଧା ଏହାର ଜବାବ ରଖିବାକୁ ସୁରକ୍ଷା ପ୍ରଶାସକଙ୍କୁ ଚିଠି ସଂଖ୍ୟା-୩୭୬୨/୨୧ରେ ନିର୍ଦ୍ଦେଶ ଦେଇଛନ୍ତି। କେଉଁମାନଙ୍କ ଭୁଲ୍‌ ପାଇଁ ଏଭଳି ଘଟଣା ଘଟିଲା, ତାହାର ଜବାବ ରଖିବାକୁ କହିଛନ୍ତି। ଦୋଷୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେଲେ ଏଭଳି ଘଟଣାର ପୁନରାବୃତ୍ତି ଘଟିବନି, ତାହା ଲେଖି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର