ଟିକାକେନ୍ଦ୍ର ରଣକ୍ଷେତ୍ର, ୩ ମହିଳା ଆହତ

କବାଟ, ରେଲିଂ ଭାଙ୍ଗି‌‌ଲେ, ଅଧାରୁ ଟିକାକରଣ ବନ୍ଦ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର କୋଭିଡ୍ ଟିକାକରଣ ବେଳେ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଠେଲାପେଲା ଯୋଗୁ ୩ ଜଣ ମହିଳା ଆହତ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଅପରାହ୍‌ଣରେ ଟିକାକରଣକୁ ବନ୍ଦ କରାଯାଇଥିଲା।

ସୋମବାର ସକାଳ ସାତଟାରୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ନେବା ଲାଗି ଡାକ୍ତରଖାନାରେ ଲୋକେ ଭିଡ଼ ଜମାଇଥିଲେ। ଏମାନଙ୍କ ଭିତରେ ଅଧିକାଂଶ ମହିଳା ଥିଲେ। ସକାଳ ୯ଟାରେ ଟିକା ଦେବା ଆରମ୍ଭ ହେବା ପରେ ଲୋକଙ୍କ ଭିଡ଼ ୨ହଜାରରୁ ଅଧିକ ଟପିଯାଇଥିଲେ। ଆବଶ୍ୟକ ସିରିଞ୍ଜ୍‌ ନଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ଘୋଷଣା କରିଥିଲେ ବି ଲୋକେ ଫେରି ନଥିଲେ। ଟିକା ନେବା ଲାଗି ଲୋକଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବେଳେ ପରିଚାଳନା ପାଇଁ ମାତ୍ର ଗୋଟିଏ କାଉଣ୍ଟର୍ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ତିନିଜଣ ସିକ୍ୟୁରିଟି ଗାର୍ଡ଼ ଓ ପାଞ୍ଚଜଣ ପୁଲିସ କର୍ମଚାରୀ ନିୟୋଜିତ ଥିଲେ। ଉତ୍ତ୍ୟକ୍ତ ଲୋକେ ଭିତରେ ଧସେଇ ପଶିବା ସହ ପୁଲିସ କର୍ମଚାରୀଙ୍କୁ ଠେଲି ନେଇ ଗୋଟିଏ ରୁମ୍‌ ଭିତରେ ପୂରାଇ ଦେଇଥିଲେ। ‌

ଠେଲାପେଲା ଭିତରେ ତିନିଜଣ ମହିଳା ଆହତ ଓ ଜଣେ ମହିଳା ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ମହିଳାଙ୍କୁ ସିଡ଼ି ସାହାଯ୍ୟରେ ସାଲାଇନ୍ ଓ ଔଷଧ ଦିଆଯାଇଥିଲା। ମହିଳାଙ୍କ ଠେଲାପେଲାରେ କବାଟ ଓ ରେଲିଂ ଭାଙ୍ଗିଯାଇଥିବା ସ୍ୱାସ୍ଥ୍ୟାଧିକାରୀ ଡା. ସଶାନ୍ତ କୁମାର ମୁଖି କହିଛନ୍ତି। ଶେଷ‌ରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଅପରାହ୍‌ଣ ସାଢ଼େ ଗୋଟାଏରେ ଟିକାକରଣକୁ ବନ୍ଦ କରାଯାଇଥିଲ।

ସମ୍ବନ୍ଧିତ ଖବର