ବାଲେଶ୍ବର: ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ଆଜି ଦୁଇଗୋଷ୍ଠୀ ମଧ୍ୟରେ ବ୍ୟାପକ ଗଣ୍ଡଗୋଳ ହୋଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ଘଟଣାସ୍ଥଳରେ ଅନେକ ଗାଡ଼ି ସହ ଲୋକଙ୍କ ଘର ଆସବାବପତ୍ର ନଷ୍ଟ ହୋଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଏସ୍‌ପି ସାଗରିକା ନାଥଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଉଭୟ ପକ୍ଷଙ୍କୁ ବୁଝାସୁଝା କରୁଥିବା ବେଳେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

Advertisment

ସୂଚନା ମୁତାବକ, ସୋମବାର ଦ୍ବିପ୍ରହର ସମୟରେ ସୁନହଟ ମୁଖ୍ୟରାସ୍ତା ପାର୍ଶ୍ବ ଡ୍ରେନ୍‌ରେ ପୁଳାପୁଳା ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ମନରେ ସନ୍ଦେହ ହେବାରୁ ସେମାନେ ନାଳକୁ ଯାଇ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଖୋଜିବା ସହ ହୋ’ହାଲ୍ଲା କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସଂପର୍କରେ ଅଭିଯୋଗକାରୀଙ୍କଠାରୁ ଖବର ପାଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଠିକ୍‌ ଏହିସମୟରେ ଅପରପକ୍ଷର ଶହଶହ ଲୋକ ଏକାଠି ହୋଇ ଅଭିଯୋଗକାରୀଙ୍କ ଉପ‌ରକୁ ଆକ୍ରମଣ କରିବାସହ ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିବା ସହ ପ୍ରବଳ ମାଡ଼ପିଟ୍‌ ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା।

ନାଳରେ ରକ୍ତ ପଡ଼ିବା ନେଇ ମୁହଁାମୁହିଁ
ପଥର ଓ କାଚବୋତଲ ମାଡ଼ରେ ପୁଲିସ ସହିତ ୧୦ ଲହୁଲୁହାଣ
ଭଙ୍ଗାରୁଜା, ୫ ପ୍ଲାଟୁନ୍ ଫୋର୍ସ ମୁତୟନ

ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଅତିରିକ୍ତ ଏସ୍‌ପି ଅନୀଲ ପ୍ରଧାନ, ଏସ୍‌ଡିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା, ଡିଏସ୍‌ପି ବ୍ରଜମୋହନ ପ୍ରଧାନଙ୍କ ସହିତ ଟାଉନ ଥାନାର ଦୁଇ ଅଧିକାରୀ ଓ ତିନି ଜଣ କନେଷ୍ଟବଳ ଲହୁଲୁହାଣ ହୋଇଥିଲେ। ପଥର ଓ କାଚବୋତଲ ମାଡ଼ରେ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ବ୍ୟକ୍ତି ଓ ରାସ୍ତାରେ ଯାଉଥିବା ସାଧାରଣ ଜନତା ମଧ୍ୟ କ୍ଷତାକ୍ତ ହୋଇଛନ୍ତି। ସେହିସମୟରେ ରାସ୍ତାରେ ଯାଉଥିବା ବାଇକ୍‌, ସ୍କୁଟର ଓ ଚାରିଚକିଆ ଯାନକୁ ଅଟକାଇ ଲୋକଙ୍କୁ ଆକ୍ରମଣ କରାଯିବା ସହ ଗାଡ଼ିଗୁଡ଼ିକୁ ଭାଙ୍ଗି ଚୂର୍‌ମାର କରି ଦିଆଯାଇଥିଲା। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକମଣରୁ ବର୍ତ୍ତି ନଥିଲେ। ପଥରମାଡ଼ରେ ଅନେକ ଆହତ ହୋଇଥିବା ବେଳେ କ୍ୟାମେରା ଭାଙ୍ଗିରୁଜି ଯାଇଛି। ପାଖାପାଖି ୨ ଘଣ୍ଟା ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବାପରେ ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥଙ୍କ ନେତୃତ୍ବରେ ସଶସ୍ତ୍ର ପୁଲିସ ବଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। ପୂରା ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଛି। ଶାନ୍ତି ଫେରିବା ଯାଏ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପିଙ୍କ ପକ୍ଷରୁ କୁହାଯାଇଛି।