ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁଣିଆଁ ଗ୍ରାମରେ ଗତ ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଯାହାକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ଘଟଣାର ତଦନ୍ତ କରି ପୁଲିସ ଉଭୟ ପକ୍ଷର ୧୦ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Advertisment

ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ କୁଟୁଣିଆଁ ଗ୍ରାମର ଫକରପଡ଼ା ଠାରେ ଗ୍ରାମ ପଞ୍ଚାୟତ  ନିର୍ବାଚନକୁ ନେଇ ଦୁଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇ ମାଡ଼ପିଟ୍‌ର ରୂପ ନେଇଥିଲା। ଏଥିରେ ଉଭୟ ପକ୍ଷରୁ କିଛି ମହିଳା ଓ ପୁରୁଷ ଆହତ ହୋଇଥିଲେ। ଘଟଣାକୁ ନେଇ ଆଜି ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଉଭୟ ପକ୍ଷର ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତ କୋର୍ଟରୁ ବେଲ୍‌ରେ ମୁକୁଳି ଥିବା ସୂଚନା ମିଳିଛି। ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ବିବାଦ ଉପୁଜି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।