ପୁରୀ: ଶ୍ରୀକ୍ଷେତ୍ରରେ ରଥାରୂଢ଼ ବିଶ୍ବନିୟନ୍ତାଙ୍କ ଦର୍ଶନ କରିବାକୁ ଆସି ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ଗ୍ରାମର ବିଶ୍ବଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସ (୫୦), କୃଷି ବିଭାଗର ସହ-ନିର୍ଦ୍ଦେଶକ ପଦରୁ ଅବସରଗ୍ରହଣ କରିଥିବା ଭୁବନେଶ୍ବର ନୂଆପଲ୍ଲୀ ନୀଳକଣ୍ଠ ନଗର ଏଲ୍ଆଇଜି କଲୋନିର ପ୍ରେମକାନ୍ତ ମହାନ୍ତି (୭୮) ଓ ଭୁବନେଶ୍ବର ଜୟଦେବ ନଗରରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳର ବାସନ୍ତୀ ସାହୁ (୪୨)। ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବା ପୂର୍ବରୁ ରଥ ସାମନାରେ ଏଭଳି ଅଘଟଣ ସାରା ରାଜ୍ୟର ଅଗଣିତ ଭକ୍ତଙ୍କୁ ହତବାକ୍ କରିଛି।
ଗତକାଲି ରାତି ପ୍ରାୟ ୧୨ଟା ୧୫ ମିନିଟ୍ ସମୟରେ ମହାପ୍ରଭୁଙ୍କ ପହଡ଼ ପଡ଼ିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ତିନି ରଥ ସମ୍ମୁଖରେ ରାତି ସାରା ଉଜାଗର ରହି ହଜାର ହଜାର ଭକ୍ତ ଅପେକ୍ଷାରେ ରହିଥିଲେ। ରବିବାର ଭୋର ପ୍ରାୟ ୪ଟା ସମୟରେ ପହଡ଼ ଖୋଲିବା ପରେ ଠାକୁରଙ୍କ ଦର୍ଶନ ପାଇଁ ସେଠାରେ ଏକପ୍ରକାର ପ୍ରତିଯୋଗିତା ଲାଗିଯାଇଥିଲା। ଭିଡ଼ ଭିତରକୁ ଧସେଇ ପଶିଥିଲେ ହଜାର ହଜାର ଭକ୍ତ। ଆହୁରି ହଜାର ହଜାର ଭକ୍ତ ରାସ୍ତାରେ ଟ୍ରାଫିକ୍ରେ ଫସି ରହିଥିଲେ। ସେମାନେ ପହଞ୍ଚିବା ପରେ ଶରଧାବାଲି ଲୋକାରଣ୍ୟ ହୋଇପଡ଼ିଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥ ବ୍ୟାରିକେଡ୍ ପର୍ଯ୍ୟନ୍ତ ଜନସମୁଦ୍ର ଥିଲା। ଅବକାଶ ଲେନ୍ ପଟୁ ଭକ୍ତ ନନ୍ଦିଘୋଷ ରଥ କଡ଼ ଦେଇ ପ୍ରବେଶ କରୁଥିଲେ ଏବଂ ନାକଚଣା ଦ୍ବାର ଦେଇ ବାହାରୁଥିଲେ। ଦଶାବତାର ମଠରୁ ବଳଭଦ୍ରଙ୍କ ରଥ ପର୍ଯ୍ୟନ୍ତ ରହିଥିବା ଜାଗାକୁ ପୁଲିସ ବନ୍ଦ କରି ରଖିଥିଲା। ସେଥିରେ କେବଳ ପାସ୍ଧାରୀ ଓ ସେବାୟତଙ୍କ ପାଇଁ ବାଟ ରହିଥିଲା। ଏଣୁ ଦଳାଚକଟା ଜାଗାରୁ ନାକଚଣା ଦୁଆର ଦେଇ ବାହାରିବା ଭକ୍ତଙ୍କ ପାଇଁ ସହଜ ନଥିଲା। ଭୋର୍ରୁ ଏକ ଟ୍ରକ୍ ଆସି ଚାରମାଳ କାଠ ସୁଭଦ୍ରାଙ୍କ ରଥ ସାମନାରେ ଗଦା କରିଥିଲା। ଏଣୁ ଭକ୍ତଙ୍କର ତୁରନ୍ତ ପ୍ରସ୍ଥାନ ପାଇଁ କୌଣସି ସୁଯୋଗ ନଥିଲା। ଭିଡ଼ ଭିତରେ ଶହଶହ ବରିଷ୍ଠ ନାଗରିକ ଫସି ରହିଥିବା ବେଳେ ସେମାନେ ତୁରନ୍ତ ବାହାରି ପାରିନଥିଲେ। ଟ୍ରକ୍ଟି ଘଟଣାସ୍ଥଳରୁ ଯିବାମାତ୍ରେ ସେବାୟତମାନେ ତିନି ରଥର ପହଡ଼ ଖୋଲି ଦେଇଥିଲେ। ଜୟ ଜଗନ୍ନାଥ ଧ୍ବନିରେ ରଥ ନିକଟରେ ବିଶ୍ରାମ ନେଉଥିବା ଭକ୍ତମାନେ ହଠାତ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମ୍ମୁଖକୁ ଚାଲି ଆସିଥିଲେ। ଏତିକି ବେଳେ ସେଠାରେ ଆରମ୍ଭ ହୋଇ ଯାଇଥିଲା ଠେଲାପେଲା। ପ୍ରଥମେ ବାସନ୍ତୀ ସାହୁ ପଡ଼ିଯିବା ପରେ ଜଣକ ପରେ ଜଣେ, ୧୫ ଜଣ ତଳେ ପଡ଼ିଯାଇଥିଲେ।
ଭିଡ଼ରେ ଅଣନିଶ୍ବାସୀ ହେଲେ ଶ୍ରଦ୍ଧାଳୁ, ଢିଲା ସୁରକ୍ଷାକୁ ଦାୟୀ କଲେ
ଭିଡ଼ରେ ଅଣନିଶ୍ବାସୀ ହେଲେ ଶ୍ରଦ୍ଧାଳୁ, ଢିଲା ସୁରକ୍ଷାକୁ ଦାୟୀ କଲେ
୩୦ ମିନିଟ୍ ଧରି ଚାଲିଥିଲା ଧାଁଧପଡ଼
ଘଟଣାସ୍ଥଳରେ ଆମ୍ବୁଲାନ୍ସ ନଥିଲା
ଅଟୋରେ ଯାଇଥିଲେ ଆହତ, ମୃତକ
ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପର୍ଯ୍ୟାପ୍ତ ପୁଲିସ ନଥିଲେ। ଯାହାଫଳରେ ଦୁଇଜଣ ମହିଳା ଓ ଜଣେ ବରିଷ୍ଠ ନାଗରିକଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅଗ୍ନିଶମ କର୍ମଚାରୀ ଆସି ଉଦ୍ଧାର କରିବା ସହ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାୟ ୩୦ ମିନିଟ୍ ଧରି ଧାଁ-ଧପଡ଼ ଲାଗି ରହିଥିଲା। ଘଟଣାସ୍ଥଳରେ କୌଣସି ଆମ୍ବୁଲାନ୍ସ ମଧ୍ୟ ନଥିଲା। ଫଳରେ ଅଟୋରେ ଆହତ ଓ ମୃତକମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଦୁଇ ଜଣ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତ ପ୍ରେମକାନ୍ତ ମହାନ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ବୋଲି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ପବିତ୍ରମୋହନ ମଲ୍ଲିକ କହିଛନ୍ତି। ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ୍ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଡିଜି ୱାଇବି ଖୁରାନିଆ ମଧ୍ୟ ଶରଧାବାଲିରେ ପହଞ୍ଚିଥିଲେ।
ଡିଜି ଶ୍ରୀ ଖୁରାନିଆ କହିଥିଲେ, ପୁରୀରେ ଆଶାତୀତ ଭିଡ଼ ହୋଇଛି। ସବୁ ଦିଗରୁ ଭକ୍ତ ଆସୁଛନ୍ତି। ସୁରକ୍ଷିତ ଦର୍ଶନ ଆମର ପ୍ରାଥମିକତା ରହିଛି। କିନ୍ତୁ ଆମେ ଦେଖୁଛୁ ଭକ୍ତମାନେ ରଥ ସାମନାରେ ଫଟୋ ଉଠାଉଛନ୍ତି। ସେଥିପାଇଁ ବିଳମ୍ବ ହେଉଛି ଏବଂ ଧାଡ଼ିରେ ଭିଡ଼ ବଢ଼ିଯାଉଛି। ପୁଲିସ ଯାହା ନିର୍ଦ୍ଦେଶ ଦେଉଛି ତାହା ଭକ୍ତଗଣ ମାନନ୍ତୁ। ଆଜିର ଘଟଣାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଦୋଷୀ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ। ଡାକ୍ତରଙ୍କ ଏମ୍ଏଲ୍ସି ରିପୋର୍ଟ ଆଧାରରେ କୁମ୍ଭାରପଡ଼ା ଥାନା ପୁଲିସ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଇବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି।