ଆସିକାରେ ରକ୍ତାକ୍ତ ସଂଘର୍ଷ : ଯୁବକ ମୃତ,୩ ଗୁରୁତର; ଏକାଧିକ ନିଖୋଜ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ କେନ୍ଦୁପଦର ଗ୍ରାମ‌ରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତୀ ରକ୍ତପାତ ଘଟିଛି। ନିର୍ବାଚନରେ ପରାଜିତ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବିଜୟୀ ଗୋଷ୍ଠୀ ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି। ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହାଛଡ଼ା ଏକାଧିକ ନିଖୋଜ ଥିବା ସୂଚନା ମିଳିଛି। କିନ୍ତୁ ମୃତ ଯୁବକ କିଏ ସେ ନେଇ ରାତି ସୁଦ୍ଧା ଆସିକା ଓ ଗାଙ୍ଗପୁର ପୁଲିସ କିଛି ସ୍ପଷ୍ଟ କରି ପାରିନାହାନ୍ତି। ୩ ଜଣଙ୍କୁ ଗୁରୁତରଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ; ଅବିନାଶ ବରାଡ଼, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ବଳରାମ ପଲେଇ। ତେବେ ଆକ୍ରମଣରେ ସଂକଟାପନ୍ନ ବୁଲୁ ସ୍ବାଇଁ ଓ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଭୟ ଥାନା ପୁଲିସ ତଲାସ ଚଳାଇଛନ୍ତି। ସେହିପରି ବିଜୟୀ ଗୋଷ୍ଠୀର ୧୦ରୁ ଅଧିକ ବାଇକ୍‌କୁ ବି ପ୍ରତିପକ୍ଷ ଗୋଷ୍ଠୀ ଭାଙ୍ଗିଦେଇନ୍ତି। ଆସିକା ଓ ଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କ ଶବ ସମେତ ଅନ୍ୟାନ୍ୟ ନିଖୋଜଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି। କେନ୍ଦୁପଦର ପଞ୍ଚାୟତରେ ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ଦେଖାଦେଇଛି।

ହସ୍ତଗତ ହୋଇଥିବା ଶେଷ ତଥ୍ୟ ଅନୁସାରେ, ଶନିବାର ସନ୍ଧ୍ୟାରେ କେନ୍ଦୁପଦର ଗ୍ରାମରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଆରମ୍ଭ ହୋଇ ଯାଇଥିଲା। ଏହି ସମୟରେ ବିଜୟୀ ଗୋଷ୍ଠୀର ନବୀନ ପଣ୍ଡା ନାମକ ଜଣେ ସମର୍ଥକଙ୍କୁ ପରାଜିତ ଗୋଷ୍ଠୀର କିଛି ଯୁବକ ଆକ୍ରମଣ କରିଥିଲେ। ଏହା ଜାଣିବା ପରେ ବିଜୟୀ ଗୋଷ୍ଠୀର ସମର୍ଥକମାନେ ଗ୍ରାମରେ ହଠାତ୍ ପହଞ୍ଚିଥିଲେ। ସେଠାରେ ଦୁଇ ଗୋଷ୍ଠୀ ଭିତରେ ବଚସାରୁ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ଏହାପରେ ପରାଜିତ ଗୋଷ୍ଠୀର ସମର୍ଥକମାନେ ଏକାଠି ହୋଇ ବିଜୟୀ ଗୋଷ୍ଠୀର ସମର୍ଥକମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ବିଜୟୀ ଗୋଷ୍ଠୀର ସମର୍ଥକମାନେ ଛତ୍ରଭଙ୍ଗ ଦେଇଥିଲେ। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏଯାଏ ଶବ ଠାବ ହୋଇନି। ଏହାସହ ଏକାଧିକ ଲୋକ ନିଖୋଜ ଅଛନ୍ତି। ଗୁରୁତରଙ୍କୁ ଆସିକା ଡାକ୍ତରଖାନାକୁ ଅଣାଯାଇଛି।

ସମ୍ବନ୍ଧିତ ଖବର