ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ନିର୍ମାଣାଧୀନ ମସଜିଦ୍ରେ କାମ କରିବାକୁ କେନ୍ଦ୍ର କରି ଦୁଇ ମୁସଲିମ୍ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଛି। ଏଥିରେ ଉଭୟ ପକ୍ଷର ଲୋକେ ଆହତ ହୋଇଛନ୍ତି। ଉତ୍ତେଜନା ପ୍ରକାଶ ପାଇବାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୩ ପ୍ଲାଟୁନ୍ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯିବା ସହ ମସ୍ଜିଦ ତଥା ପଡ଼ାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଉଭୟ ପକ୍ଷରୁ ମାମଲା ରୁଜୁ
୧୦ କୋର୍ଟଚାଲାଣ, ପୁଲିସର ଫ୍ଲାଗ୍ମାର୍ଚ୍ଚ
ପ୍ରକାଶ ଥାଉକି, ସୋହେଲାରେ ଥିବା ପୁରୁଣା ମସଜିଦ୍କୁ ଭାଙ୍ଗି ନୂଆ ମସଜିଦ୍ ନିର୍ମାଣ କାର୍ଯ୍ୟ ଚାଲିଛି। ନୂଆ ମସଜିଦ୍ ନିର୍ମାଣ ହେବା ଦିନଠାରୁ କମିଟିର ଆୟବ୍ୟୟର ହିସାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ଗୋଟିଏ ଗୋଷ୍ଠୀ ଜୋର୍ଜବରଦସ୍ତ ମସଜିଦ୍ରେ କାମ କରିବାକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲା। ପରେ ଘଟଣାକୁ ନେଇ ଉଭୟ ପକ୍ଷରୁ ପୃଥକ୍ ଦୁଇଟି ମାମଲା ରୁଜୁ ହୋଇଛି। ମିର୍ଜା ଅସଲମ ବେଗଙ୍କ ଏତଲା କ୍ରମେ ଏକ ମାମଲା ରୁଜୁ କରାଯାଇ ମହମ୍ମଦ ସିରାଜ, ମହମ୍ମଦ ହୁସେନ, ଇର୍ଫାନ ଭୋପଲା, ଶମ୍ଭୁ ମିର୍ଜାଙ୍କୁ ଗିରଫ କରାଯାଇଛି। ସେହିପରି ଇର୍ଫାନ ଭୋପଲାଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ନବାବ ଖାନ, ମହମ୍ମଦ କରିମ, ଅକ୍ରମ ମିର୍ଜା, ମହମ୍ମଦ ଅରସଦ, ମିର୍ଜା ଅସଲମ୍ ଓ ମହମ୍ମଦ ଗୁଲାମ୍ଙ୍କୁ ପୁଲିସ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି ରାତିରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ବରଗଡ଼ ଅତିରିକ୍ତ ଏସ୍ପି ସୌରଭ ଓତା, ପଦ୍ମପୁର ଏସ୍ଡିପିଓ ବିଭୂତି ଭୂଷଣ ଭୋଇ, ସୋହେଲା ଥାନା ଆଇଆଇସି ଶଶିଭୂଷଣ ମିଶ୍ରଙ୍କ ସମେତ ବିଜେପୁର ଆଇଆଇସି ଧୀରେନ୍ଦ୍ର ସ୍ୱାଇଁ, ଗାଈସିଲାଟ ଆଇସିସି ପ୍ରଶାନ୍ତ ସାମଲ, ଜଗଦଲପୁର ଆଇଆଇସି କୈଳାସ ଚନ୍ଦ୍ର ହୋତା, ଝାରବନ୍ଧର କ୍ରେସେନସିଆ ସାମରିଆ ଓ ପାଇକମାଲର ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଅଧିକାରୀ ସୋହେଲାରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/11/nMGzzGII0zDdkVjFHwGX.jpg)