ରାଉରକେଲା/ବନ୍ଧମୁଣ୍ଡା: ରାଉରକେଲା ବନ୍ଧମୁଣ୍ଡା ବରକାନିରେ ପୁଲିସ-ସ୍ଥାନୀୟ ବାସିନ୍ଦାଙ୍କ ଖଣ୍ଡଯୁଦ୍ଧ ପରେ ଗତକାଲିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ପ୍ରଶମିତ ହୋଇଛି। ଜେସିବି ଧକ୍କାରେ  ପ୍ରାଣ ହରାଇଥିବା ଏତୋ ଏକ୍କାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣକୁ ଆରଏସ୍‌ପିରେ ଚାକିରି ଓ ପିଲାଙ୍କ ପଢ଼ାଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ଧାରଣାରୁ ଓହରିଛନ୍ତି। ଫଳରେ ୩୪ ଘଣ୍ଟା ହେଲା ପଡ଼ିରହିଥିବା ଏତୋ ଏକ୍କାଙ୍କ ଶବକୁ ପୁଲିସ ନେଇ ଆରଜିଏଚ୍‌ରେ ରଖିଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ଦିଆଯିବ ବୋଲି ପୁଲିସ କହିଛି। ରବିବାର ସକାଳୁ ରାତି ପର୍ଯ୍ୟନ୍ତ ପ୍ରାଶାସନିକ ଅଧିକାରୀ ବିକ୍ଷୋଭକାରୀଙ୍କ ସହ ଏକାଧିକଥର ଆଲୋଚନା କରିଥିଲେ ହେଁ କିଛି ସୁଫଳ ମିଳିନଥିଲା। ୨୦୦୬ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା, ନିର୍ମାଣାଧୀନ ରେଳଲାଇନକୁ ତୁରନ୍ତ ବନ୍ଦ ସହ ବିସ୍ଥାପିତଙ୍କୁ ନିଯୁକ୍ତି, ମୃତକଙ୍କ ପରିବାରକୁ ୧ କୋଟିର କ୍ଷତିପୂରଣ ସହ ଚାକିରି ଦେବାକୁ ଦାବି ହୋଇଥିଲା। ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ କି ଶବ ଉଠାଇବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିଲେ। ରାଜଗାଙ୍ଗପୁର ବିଧାୟକ ଡା. ରାଜେନ ଏକ୍କା ଓ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ୍‌ ତିର୍କୀ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। 

Advertisment

ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଚାକିରି
ପିଲାଙ୍କ ପଢ଼ାଖର୍ଚ୍ଚ ବହନ କରିବେ ସରକାର

ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ ବିକ୍ଷୋଭକାରୀଙ୍କୁ ଧାରଣାରୁ ହଟିଯିବାକୁ ଅନୁରୋଧ କରିଥିଲେ। ହେଲେ ବିକ୍ଷୋଭକାରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ଅତିରିକ୍ତ ଜିଲ୍ଲାପାଳଙ୍କ ଫୋନ୍‌ରେ ବିକ୍ଷୋଭକାରୀଙ୍କୁ ଧାରଣାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। ଆର୍‌ଡିସି ଉଭୟ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା ଦେଢ଼ମାସ ମଧ୍ୟରେ ଆଦିବାସୀଙ୍କର ଖାଲି ପଡ଼ିଥିବା ଜମି ସେମାନଙ୍କୁ ଫେରାଇ ଦିଆଯିବ। ଏଥିସହ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ନିର୍ମାଣ ହେଉଥିବା ରେଳ ଲାଇନ କାମ ବନ୍ଦ କରାଯିବ ବୋଲି କହିଥିଲେ। ଧାରଣାରେ ସାମିଲ ଥିବା ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ, ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଶାହନୱାଜ ଚୌଧୁରୀ, ରାଉରକେଲା କଂଗ୍ରେସ ଜିଲ୍ଲା ସଭାପତି ରବି ରାୟ, ଡେମେ ଓରାମ, ଦେବା କେରକେଟା, ଲେଥା ତିର୍କୀଙ୍କ ସମେତ ବହୁ ଆଦିବାସୀ ନେତା ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ସେପଟେ ଆଦିବାସୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ଆଜି ବନ୍ଧମୁଣ୍ଡାର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ତେବେ ରାତି ପ୍ରାୟ ୧୧ଟା ବେଳକୁ ପ୍ରଶାସନ ପକ୍ଷରୁ ପୁଣି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରାଯାଇ ୩ଟି ଦାବି ପୂରଣ କରାଯାଇଥିବା କୁହାଯାଇଥିଲା। ଫଳରେ ବିକ୍ଷୋଭକାରୀମାନେ ମୃତଦେହ ନେବାକୁ ଅନୁମତି ଦେଇଥିଲେ।

ସୂଚନା‌ଯୋଗ୍ୟ, ଗତକାଲି ରେଳଲାଇନ ନିର୍ମାଣ ବେଳେ ପୁଲିସ -ବରକାନିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରେ ଜେସିବି ଚଢ଼ିଯିବାରୁ ଘଟଣାସ୍ଥଳରେ ଏତୋ ଏକ୍କା (୩୭) ପ୍ରାଣ ହରାଇଥିଲେ। ଏତୋଙ୍କ ମୃତ୍ୟୁ ପରେ ବିକ୍ଷୋଭକାରୀମାନେ ଉଗ୍ର ହୋଇ ଉଠିଥିଲେ। ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ପଥର ମାଡ଼ କରିବା ସହ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ଥିବା ଅତିରିକ୍ତ ତହସିଲଦାର, ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକର୍ମୀ, ଆର୍‌ଏସ୍‌ପି ଅଧିକାରୀ ଏବଂ ଜେସିବି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।