ଦଶମ ଶ୍ରେଣୀ ବହି ବଦଳିବା ପ୍ରସଙ୍ଗ : ଘନେଇଲା ବିବାଦ, ମାଗଣାରେ ୯ମ ଓ ୧୦ମ ଶ୍ରେଣୀ ବହି ଯୋଗାଇବାକୁ ଦାବି

ଭୁବନେଶ୍ୱର : ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ହେଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଘନେଇଛି। ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପାଇଁ ପଢ଼ାପଢ଼ି ଆରମ୍ଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ଏନେଇ ଅବଗତ କରାଯାଇ ନ ଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ସମୟରେ ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ପାଠ୍ୟଖସଡ଼ା ପ୍ରକାଶ କରିବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦାବି କରିଥିବା ବେଳେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଏଆଇଡିଏସ୍ଓ ପ୍ରସ୍ତାବ ଦେଇଛି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ଓ ମେ’ ମାସରେ ପୁସ୍ତକ ବିକ୍ରି ହେବା ନେଇ ସୂଚନା ଦିଆଯିବା ପରେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତା ବଢିଯାଇଛି। ପୁସ୍ତକ ବଣ୍ଟନ ହେବ ନା ବିକ୍ରି ହେବ ସେନେଇ ସ୍ପଷ୍ଟ କରାଯିବା ଆବଶ୍ୟକ। କେତେ ବିଳମ୍ବିତ ହେବ ସେନେଇ ବି ସୂଚନା ଦେବାର ଆବଶ୍ୟକତା ରହିଛି। ତେବେ ତୁରନ୍ତ ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ପାଠ୍ୟଖସଡ଼ାକୁ ପ୍ରକାଶ କରି ପିଲାଙ୍କ ପାଠପଢାକୁ ସୁନିଶ୍ଚିତ କରାଯାଉ ବୋଲି ସେ କହିଛନ୍ତି।

ଓଷ୍ଟା ପକ୍ଷରୁ ଆହୁରି କୁହାଯାଇଛି ଯେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବହି ଯୋଗାଇ ଦେବାକୁ ପରିଷଦର ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ମାର୍ଚ୍ଚ ୧୩ରେ ଏନେଇ ଆଲୋଚନା ହୋଇଥିବା ବେଳେ ମାର୍ଚ୍ଚ ୨୪ରୁ ବହି ବିକ୍ରି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ କରୋନା ଯୋଗୁ ସବୁ କିଛି ବିଗିଡ଼ି ଯାଇଛି। ପିଲାଙ୍କ ପାଖରେ ବହି ପହଞ୍ଚିବା ଏବେ ସମସ୍ୟା ସୃଷ୍ଟି କରିଛି। ମେ’ ୩ ଭିତରେ ସ୍ଥିତି ସୁଧୁରିବାର ସମ୍ଭାବନା ହିଁ ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ଗୋଟେ ମାସ ବରବାଦରେ ଯିବା ଥୟ। ତେଣୁ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀ ପାଠ୍ୟପୁସ୍ତକର ପାଠ୍ୟଖସଡା ସାର୍ବଜନୀନ କରାଯାଉ। ତାଲାବନ୍ଦ ଚାଲିଥିବା ସମୟରେ ପାଠ୍ୟପୁସ୍ତକ ବିକ୍ରି ଓ ବଣ୍ଟନକୁ ମୁକ୍ତ କରିବାକୁ ବ୍ୟବସ୍ଥା ହେଉ। ଏଥିସହ ତଫସିଲଭୁକ୍ତ ଜାତି ଓ ଉପଜାତିର ଛାତ୍ରାଛାତ୍ରୀଙ୍କ ପରି ସବୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ ପ୍ରମୁଖ ଦାବି କରିଛନ୍ତି। ଏଆଇଡିଏସ୍‌ଓ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ସଙ୍ଗଠନ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ, ୯ମ ଓ ୧୦ମ ଛାତ୍ରଛାତ୍ରୀ ଉପର ଶ୍ରେଣୀର ପିଲାଙ୍କ ପାଖରୁ ପୁରୁଣା ବହି ଯୋଗାଡ଼ କରି ପାଠପଢା ଆରମ୍ଭ କଲେଣି। ତେବେ ବୋର୍ଡ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଦଶମ ପାଠ୍ୟପୁସ୍ତକରେ କରିଥିବା ପରିବର୍ତ୍ତନ ଫଳରେ ସାଧାରଣ ଘରର ଅଧିକାଂଶ ଛାତ୍ରଛାତ୍ରୀ ନୂଆ ବହି କିଣିବାକୁ ଯାଇ ଆର୍ଥିକ ଶୋଷଣର ଶିକାର ହେବେ। ଏହି ଛାତ୍ର ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ ନବମ ଓ ଦଶମ ଶ୍ରେଣୀ ସମେତ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ଓ ପାଠ୍ୟ ଉପକରଣ ଯୋଗାଇଦେବା, ଶିକ୍ଷାରେ ସମସ୍ତସ୍ତରର ଫି’ ଛାଡ କରିବା ପାଇଁ ଦାବି କରାଯାଇଛି।ଏଭଳି ସମୟରେ ପାଠ୍ୟପୁସ୍ତକ ପରିବର୍ତ୍ତନ ବନ୍ଦ କରିବା ସହ ରାଜ୍ୟ ସରକାର ସମସ୍ତ ୯ମ ଓ ୧୦ମ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଏଆଇଡିଏସଓର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ଏକ ପ୍ରେସ୍‌ ଇସ୍ତହାରରେ ଜଣାଇଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସ୍ପଷ୍ଟ କରିଛନ୍ତି ଯେ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ପୂର୍ବରୁ ବିଧାନସଭାରେ ସୂଚନା ଦିଆଯାଇଥିଲା। ପରିଷଦ ପକ୍ଷରୁ ମଧ୍ୟ ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଛି। ତେଣୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କୌଣସି ପ୍ରକାର ଦ୍ଵନ୍ଦ୍ବରେ ପଡ଼ିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର