ଭୁବନେଶ୍ୱର : ମେ’ ୩ ଯାଏ ଲକଡାଉନ୍ ଜାରି ରହିବାକୁ ଥିବାରୁ ସେପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବନି। ତା’ ଭିତରେ ପୁଣି ଜୁନ୍ ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ତେଣୁ ମୋଟାମୋଟି ଭାବେ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ କ୍ଳାସ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପିଲାଙ୍କ ଘରେ ମାଗଣା ବହି ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ହ୍ବାଟସଆପ୍ ମାଧ୍ୟମରେ ବି ପିଲାଙ୍କୁ ଶିକ୍ଷା ଦିଆଯାଉଛି। ବିଭିନ୍ନ ମୋବାଇଲ ଆପ୍ ମାଧ୍ୟମରେ ପଢ଼ିବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି। ତେବେ ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି।
ଆସନ୍ତା ୨୦ ତାରିଖଠାରୁ ଦୂରଦର୍ଶନ(ଡିଡି ଓଡ଼ିଆ) ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା)ର ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୦ରୁ ‘ଏଜୁସାଟ୍’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟରେ ପାଠ୍ୟକ୍ରମ ଦୂରଦର୍ଶନରେ ପ୍ରସାରଣ କରାଯିବ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ ଏକ ଘଣ୍ଟା ଲେଖାଏ ଏହା ପ୍ରସାରଣ କରାଯିବ। ସକାଳ ୧୧ରୁ ୧୨ଟା ଓ ଅପରାହ୍ଣ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପ୍ରସାରିତ ହେବ। ଇଂରାଜୀ ସମେତ ଗଣିତ, ଭୂଗୋଳ, ଏସସିପି ଓ ଏସସିଏଲ ବିଷୟ ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ସେମାନେ ରାଜ୍ୟର ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବଗତ କରିବା ଏବଂ ପିଲାଙ୍କୁ ଜଣାଇବା ପାଇଁ ଓସେପା ପକ୍ଷରୁ କୁହାଯାଇଛି। ଏଥିସହ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ‘ଦୀକ୍ଷା’ ଆପ ଓ ‘ମଧୁ’ ଆପ୍ରେ ପଢ଼ିବା ଲାଗି ପରାମର୍ଶ ଦିଆଯାଇଛି।
ଓସେପା ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂହ ପୁନିଆଙ୍କ କହିବାନୁଯାୟୀ ବର୍ତ୍ତମାନ ସମୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ। ଯେହେତୁ ସେମାନଙ୍କ ନବମ ପରୀକ୍ଷା ସରିଛି, ସେମାନେ ଏବେ ଏଣେତେଣେ ବୁଲିବେ। ତାହାକୁ ଦୃଷ୍ଟିରେ ରଖି ’ଏଜୁସାଟ’ରେ କାର୍ଯ୍ୟକ୍ରମ ପ୍ରସାରଣ କରି ବାନ୍ଧି ରଖିବାକୁ ଏଭଳି ପ୍ରୟାସ କରାଯାଇଛି। ମେ’ ୧୨ ପର୍ଯ୍ୟନ୍ତ ଏହା ଜାରି ରହିବ। ପ୍ରତିଦିନ ଦୁଇଟି ଲେଖାଏ କ୍ଲାସ ହେବ। ମୋଟ ୩୪ଟି ଭିଡିଓ ପ୍ରସାରଣ କରାଯିବ। ଦଶମ ପାଠ୍ୟକ୍ରମରେ ସେଭଳି କିଛି ପରିବର୍ତ୍ତନ କରାଯାଇନାହିଁ। କିଛି ମାତ୍ର ବିଷୟ ବଦଳିଛି। ତେଣୁ କିଛି ଅସୁବିଧା ହେବ ନାହିଁ। ଦୂରଦର୍ଶନରେ ଏହାକୁ ଦେଖିବା ଦ୍ୱାରା ପିଲାମାନେ ଦଶମ ପାଠ୍ୟକ୍ରମର କିଛି ଧାରଣା ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/TV-750x430-f.jpg)