ଭୁବନେଶ୍ବର: ୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ହାତରେ ଆଉ ଅଢ଼େଇ ମାସ ବାକି ରହିଛି। ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁଠି ପରୀକ୍ଷାକେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ରିପୋର୍ଟ ନଭେମ୍ବର ୨୯ ସୁଦ୍ଧା ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି।
ନଭେମ୍ବର ୨୯ ସୁଦ୍ଧା ସିସିଟିଭି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
ଥିଓରି ପରୀକ୍ଷା ପାଇଁ ହେବ ୯୦ ନୂଆ ପରୀକ୍ଷାକେନ୍ଦ୍ର
୨୦୨୬ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବୋରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୨୯ ସୁଦ୍ଧା ସିସିଟିଭି ଲଗାଇବେ। ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନୂଆ ପରୀକ୍ଷାକେନ୍ଦ୍ର କରିବାକୁ ଆବେଦନ କରିଛନ୍ତି ସେମାନେ ପରୀକ୍ଷା ହଲ୍ ଓ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ରୁମ୍ରେ ସିସିଟିଭି ଲଗାଇଥିବା ପରିଷଦକୁ ସୁନିଶ୍ଚିତ କରାଇବେ। ୨୦୨୫ର ପରିଚାଳନା ହବ୍, ପରୀକ୍ଷାକେନ୍ଦ୍ର ସମେତ ନୂଆ କରି ପରୀକ୍ଷାକେନ୍ଦ୍ର ହେବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡିଭିଆର/ଏନ୍ଭିଆର, ଇନ୍ଷ୍ଟା କ୍ଲାଉଡ୍ଏ ଷ୍ଟାଟିକ୍ ଆଇପି ଆଡ୍ରେସ୍, ଇନ୍ଷ୍ଟା କ୍ଲାଉଣ୍ଡ୍ ସିରିଜ୍ ନମ୍ବର, କ୍ୟାମେରା ଲଗାଇବେ। ୫୦ ଏମ୍ବିପିଏସ୍ର ଇଣ୍ଟରନେଟ୍ ସଂଯୋଗ ବାଧ୍ୟତାମୂଳକ। ନଭେମ୍ବର ୨୯ ସୁଦ୍ଧା କଲେଜ ନାମ, କଲେଜ କୋଡ୍, ଇଣ୍ଟରନେଟ୍ ପ୍ରୋଭାଇଡର, ଡିଭିଆର/ଏନ୍ଭିଆର ସିରିଏଲ୍ ନମ୍ବର, ସାମ୍ସ ଇ-ସ୍ପେସ୍ରେ ଥିବା ୟୁଜର ନାମ ଓ ପାସ୍ୱାଡ୍ ଏବଂ ସିସିଟିଭି ଷ୍ଟାଟର୍ସ ପ୍ରଭୃତି ସମ୍ପର୍କରେ ଜଣାଇବେ।
ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏଦିଗରେ ପଦକ୍ଷେପ ନ ନେବେ ସେମାନଙ୍କ ପରୀକ୍ଷାକେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ) ବାତିଲ୍ କରାଯିବ। ଏଥିସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି।
ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ୯୦ଟି ଶିକ୍ଷାନୁଷ୍ଠାନରେ ଥିଓରି ପରୀକ୍ଷାକେନ୍ଦ୍ର କରିବାକୁ ଯୋଜନା ହୋଇଛି। ତା’ପୂର୍ବରୁ ଆବଶ୍ୟକ ପଦକ୍ଷେପ ଯଥା ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା, ସିସିଟିଭି ଲଗାଇବା, ପାୱାର ବ୍ୟାକ୍ଅପ୍, ଇଣ୍ଟରନେଟ୍ ସଂଯୋଗ, ସ୍ଥାୟୀ ପାଚେରି ପରି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ପରିଷଦର ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରୁଛନ୍ତି। ଯଦି କୌଣସି ଶିକ୍ଷାନୁଷ୍ଠାନ ଆବଶ୍ୟକ ସୁବିଧା ନ କରନ୍ତି ସେଠାରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା କହିଛନ୍ତି।