ଦୀପାବଳିରେ ଘରକୁ ଛାଡ଼ିଲେନି ବୋଲି ଛାତରୁ ଡେଇଁଲେ ଛାତ୍ରୀ, ନିର୍ଯାତନା ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

ଦିଗପହଣ୍ଡି/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିର‌ ଶ୍ରୀଧାମରେ ଘଟିଛି ଅଭାବନୀୟ ଘଟଣା। ଦୀପାବଳି ଛୁଟିରେ ଘରକୁ ନ ଛାଡ଼ିବାରୁ ବିଦ୍ୟାଳୟର ଅଞ୍ଜଳି ପ୍ରାଧନ ନାମ୍ନୀ ଜଣେ ଛାତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ହଷ୍ଟେଲ୍‌ ଛାତରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ହେଷ୍ଟେଲରୁ ଲୁଚି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଛାତରୁ ତଳେ ପଡ଼ି ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ଏ ଘଟଣା ପରେ ବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ ଆଣି ପଦ୍ମନାଭପୁର ଗାଁର ଲୋକମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସବିତା ପ୍ରାଧନଙ୍କ ଝିଅ ଅଞ୍ଜଳି ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମର ଛାତ୍ରୀ ନିବାସରେ ରହି ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଦଶହରା ଛୁଟିରେ ସେ ଘରକୁ ଯାଇ ଗତ ୨୦ ତାରିଖରେ ହଷ୍ଟେଲକୁ ଫେରିଥିଲେ। ଦୀପାବଳିରେ ପୁଣି ଗାଁକୁ ଯିବାକୁ ଅଞ୍ଜଳି ଚାହୁଁଥିଲେ। ଏ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ମାଆଙ୍କ ସହିତ କଥା ହୋଇଥିଲେ। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୀପାବଳିରେ ଗାଁକୁ ଛାଡ଼ିବାକୁ ମନା କରିବାରୁ ଅଞ୍ଜଳି ରାଗି ଯାଇଥିଲେ। ଅନ୍ତେବାସୀମାନେ ଶୋଇଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ଖସି ପଳାଇବା ଲାଗି ‌ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା।

ସକାଳୁ ସକାଳୁ ଏହି ଘଟଣା ପ୍ରଚାରିତ ହେବା କ୍ଷଣି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା। ଅନ୍ୟପକ୍ଷରେ ଅଞ୍ଜଳିଙ୍କ ମାଆ ସବିତା ପ୍ରଧାନ କହିଛନ୍ତି, ଦୀପାବଳିରେ ଗାଁକୁ ଯିବା ପାଇଁ ଅଞ୍ଜଳି ଗତକାଲି ସନ୍ଧ୍ୟାରେ ଫୋନ କରି କହିଥିଲା। ଦଶହରା ଛୁଟିରୁ ବିଳମ୍ବରେ ହଷ୍ଟେଲକୁ ଯାଇଥିବାରୁ ପୁଣି ଘରକୁ ଆସିବାକୁ ମନା କରିଥିଲି। ନଭେମ୍ବର ୩ ତାରିଖ‌ରେ ଅଞ୍ଜଳିର ଜନ୍ମଦିନ। ତା’ ପୂର୍ବରୁ ଆସି ଘରକୁ ନେବି ବୋଲି ଅଞ୍ଜଳିକୁ କହିଥିଲି। କିନ୍ତୁ ଏଥିରେ ରାଗି ସେ ଏଭଳି କରିଛି।

ସମ୍ବନ୍ଧିତ ଖବର