ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆଜିଠୁ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁବାରଠାରୁ କ୍ଲାସ ଆରମ୍ଭ ହେବ। ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ଲାସ ମାଧ୍ୟମରେ କଲେଜ କର୍ତୃପକ୍ଷ ସ୍କୁଲ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ଗଣଶିକ୍ଷା ବିଭାଗ ଏହାକୁ ଇଣ୍ଡକ୍ସନ୍‌ କ୍ଲାସ ବୋଲି କହିଛି।

କଲେଜ ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ସ୍ବାଗତ ଭାଷଣ ସହ କ୍ଲାସରେ କଲେଜର ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ। ବିଷୟଭିତ୍ତିକ ଅଧ୍ୟାପକମାନେ ନିଜ ସମ୍ପର୍କରେ ପିଲାମାନଙ୍କୁ ଜଣାଇବେ। ସିଲାବସ୍‌ରେ କେଉଁ ସବୁ ବିଷୟରେ ଉଲ୍ଲେଖ ରହିଛି ସେବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇବା ସହ ପରୀକ୍ଷା ପ୍ରଣାଳୀ ଓ ପ୍ରଶ୍ନପତ୍ର ଢାଞ୍ଚା ସମ୍ପର୍କରେ ଅବଗତ କରାଯିବ। ଟାଇମ୍‌ ଟେବୁଲ୍‌ ବଣ୍ଟନ ସହ ରାଗିଂ ରୋକିବା, କଲେଜର ବିଭିନ୍ନ ନିୟମ କାନୁନ୍‌ ସମ୍ପର୍କରେ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର