ସୁନ୍ଦରଗଡ଼: ସିମେଣ୍ଟ ଚଟାଣ ଉପରେ ଦରି ପଡ଼ିଛି। ତା’ ଉପରେ କିଏ ଚକାମାଡ଼ି ବସ ପଢ଼ୁଛି ତ କିଏ ଖାତା ଉପରେ ହାମୁଡ଼େଇ ଲେଖୁଛି। ପିଲାଙ୍କ ସହ ଶିକ୍ଷକ ବି ଚକା ମାଡ଼ି ବସିଛନ୍ତି। ଚାଲିଛି ପାଠପଢ଼ା। ଏ ଦୃଶ୍ୟ ଦିନେ, ମାସେ କି ବର୍ଷକର ନୁହେଁ। ୧୨ ବର୍ଷ ହେଲା ଏମିତି ବାରଣ୍ଡାରେ ଗଢ଼ାଚାଲିଛି ପିଲାଙ୍କ ଭବିଷ୍ୟତ। ଶିକ୍ଷାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ହେମଗିର ବ୍ଲକର ଏକ ଜଙ୍ଗଲ ଗାଁ ଓସ୍ତାଲିରେ। ବିଡ଼ମ୍ବନା, ବ୍ଲକ୍ ମୁଖ୍ୟାଳୟ ବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂରରେ ୧୨ ବର୍ଷ ହେଲା ଏମିତି ବାରଣ୍ଡା ପାଠପଢ଼ା ଚାଲିଥିଲେ ମଧ୍ୟ ଅଧିକାରୀଙ୍କ ନଜର ପଡ଼ି ନାହିଁ।

Advertisment

୧୯୭୦ରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଖୋଲିଥିବା ଏହି ବିଦ୍ୟାଳୟ ପର୍ଯ୍ୟାୟକ୍ରମେ ୭ଟି ଶ୍ରେଣୀକୁ ଉନ୍ନିତ ହୋଇସାରିଛି। କିନ୍ତୁ କାହିଁ କେତେ ବର୍ଷ ତଳେ ନିର୍ମିତ ୨ କକ୍ଷ ବିଶିଷ୍ଟ କୋଠାଟି ୧୫ ବର୍ଷ ହେଲା ଦଦରା ହୋଇପଡ଼ିଥିଲା। ଛାତରୁ ସିମେଣ୍ଟ ଅତଡ଼ା ଖସିବା ସହ କୋଠାଟି ଦୁର୍ବଳ ହୋଇଯିବାରୁ ୧୨ ବର୍ଷ ତଳେ ତାକୁ ବିପଦ ସଂକୁଳ ଘୋଷଣା କରାଗଲା। ସେଦିନଠାରୁ ପିଲାଏ ଶ୍ରେଣୀ କକ୍ଷରୁ ବାରଣ୍ଡା ଉପରକୁ ଚାଲି ଆସିଲେ। ୪ ବର୍ଷ ତଳେ ୨ଟି କୋଠରି ବିଶିଷ୍ଟ ଅନ୍ୟ ଏକ କୋଠା ତିଆରି କରାଗଲା। ଯେଉଁଠି ୭ଟି ଶ୍ରେଣୀର ପିଲା ବସି ପଢ଼ିବା ସମ୍ଭବ ହେଲାନି। ତେଣୁ ଗୋଟିଏ, ଦୁଇଟି ଶ୍ରେଣୀର ପିଲା ପୂର୍ବ ପରି ବାରଣ୍ଡାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏସ୍ଥିତିରେ ପୁଣି ଏକ କୋଠା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ପଡ଼ି ରହିଛି।

ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବସନ୍ତ ପଟେଲଙ୍କ ସହ ୨ ସହକାରୀ ଶିକ୍ଷକ ନର୍ମଦା ମହାନ୍ତି ଓ ଅମର ମାଝୀ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଆବଶ୍ୟକ ମୁତାବକ କୋଠରି ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସବୁଠାରୁ ବଡ଼ କଥା ହେଲା, ଏମିତି ଶୋଚନୀୟ ଅବସ୍ଥାରେ ଥିବା ବିଦ୍ୟାଳୟରୁ ଗାଁ ପିଲା ଓ ଅଭିଭାବକ ଏବେ ମୁହଁ ଫେରାଇ ନେବା ଆରମ୍ଭ କଲେଣି। ଏକଦା ବିଦ୍ୟାଳୟରେ ୬୦ରୁ ଅଧିକ ପିଲା ପଢ଼ୁଥିଲେ। ଏବେ ସଂଖ୍ୟା ୩୨କୁ ଖସି ଆସିଲାଣି। ଗାଁ ଲୋକେ କହନ୍ତି, ‘ଏପରି ଶିକ୍ଷା ବ୍ୟବସ୍ଥା ରହିଲେ, ପିଲା ସଂଖ୍ୟା କମିବା ନିଶ୍ଚିତ। ଶେଷକୁ ପିଲା ସଂଖ୍ୟା କମିଗଲା କହି ସରକାର ବିଦ୍ୟାଳୟକୁ ବନ୍ଦ କରିଦେବେ। ସକ୍ଷମ ପିଲା ତ ବାହାରକୁ ଚାଲିଯିବେ, କିନ୍ତୁ ଯେଉଁ କେତେ ଜଣ ଏଠି ପଢ଼ୁଛନ୍ତି ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ। ତେଣୁ ଶିକ୍ଷା ବିଭାଗ ପିଲାଙ୍କୁ ଏ ବାରଣ୍ଡ ପାଠପଢ଼ାରୁ ମୁକ୍ତି ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।