ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ସହରର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପଢ଼ିବା ନିମନ୍ତେ ସୁରକ୍ଷିତ ଶ୍ରେଣୀ ଗୃହର ଘୋର ଅଭାବ ଦେଖାଯାଇଛି। ଏହି ବିଦ୍ୟାଳୟ ଗତ ୨୦୦୧ ମସିହାରେ ବାଲିମେଳା ନଗରର ୱାର୍ଡ ନମ୍ବର ୧୨ରେ ସ୍ଥାପିତ ହୋଇଅଛି। ଏହାର ୨ଟି ଶ୍ରେଣୀଗୃହରେ ସିମେଣ୍ଟ ଛାତ ଥିଲେ ମଧ୍ୟ ସେହି ଛାତରୁ ବର୍ଷାଦିନେ ପାଣି ଗଳୁଛି। ଗତ ୨୦୨୧ ମସିହା ଜୁଲାଇ ୨୨ ତାରିଖରେ ଏ ସଂପର୍କରେ ବିଦ୍ୟାଳୟ କମିଟି (ପତ୍ର ନଂ ୨୫)ରେ ସି.ଆର୍.ସି.ସି, ବି.ଆର୍.ସି ସି, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରକୁଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରକୁଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ସମଗ୍ର ଶିକ୍ଷା ଅଭିଯାନକୁ ଅବଗତ କରାଯାଇଥିଲା।
ପରବର୍ତ୍ତୀ ସମୟରେ ୨୦୨୨ ମସିହାରେ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପତ୍ର ନଂ ୧୯୦୯ ତା-୨୦ -୭-୨୦୨୨ରେ ୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ଦେଇଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହେଲାନାହିଁ। ଏଥିପାଇଁ ୨୦୨୩ ରେ ପୁଣି ପିଲାମାନେ ଓ ଅଭିବାକମାନେ ରାଜରାସ୍ତାରେ ଆସିବା ପରେ ଏହି ମୂଲ୍ୟ ଆଉ ୧୦% ବୃଦ୍ଧି ହୋଇ ଅର୍ଥାତ୍ ୭୦,୦୦୦ (ସତୁରି ହଜାର ଟଙ୍କା) ବଢାଇ ତୁରନ୍ତ ମରାମତି କରାଯିବା ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତିନିଧି କରୁଥିବା ଅଧିକାରୀ ଗଣମାଧ୍ୟମ ଓ ପୁଲିସ ପ୍ରଶାସନ ଆଗରେ କହିବା ପରେ ଅବିଭାବକ ଓ ପିଲାମାନେ ରାଜରାସ୍ତାରୁ ହଟିଥିଲେ।
୨୦୨୪ ମସିହା ଶିକ୍ଷାବର୍ଷ ଆରମ୍ଭ ହୋଇଗଲାଣି ଏବଂ ଆଉ କିଛି ଦିନ ପରେ ଖରାଛୁଟି ଓ ପୁନଃ ପାଠପଢ଼ା ଆରମ୍ଭ ବେଳେ ବର୍ଷା ଆସିଯିବ।ପିଲାମାନେ ପଢ଼ିବେ କେଉଁଠି ବୋଲି ଅଭିଭାବକ ଏବଂ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସ୍କୁଲ ଘର ଉପରେ ଥିବା ପଲିଥିନ୍ ନଷ୍ଟ ହୋଇ ଯାଇଛି।ଅନ୍ୟତ୍ର ପଢ଼ିବା ନିମନ୍ଚେ ଯିବା ସମ୍ଭବ ନୁହଁ। ଏହି ଗ୍ରୀଷ୍ମ ଛୁଟିରେ ୱାର୍ଡ-୧୨ ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨ଟି ଛାତ ଘର ଯଦି ପିଲାମାନେ ବସି ପାଠ ପଢିବେ ତେବେ ତୁରନ୍ତ ସେଗୁଡ଼ିକ ମରାମତି କରାଯାଉ ନଚେତ୍ ସେଗୁଡିକୁ ସମ୍ପୂର୍ଣ୍ଣ ନଷ୍ଟ କରି ପୁନଃ ନୂଆ ଘର ଦୁଇଟି ନିର୍ମାଣ କଲେ ଆମ ୱାର୍ଡ଼ର ସମସ୍ତ ପିଲାମାନେ ଭଲଭାବେ ଶ୍ରେଣୀ ଗୃହରେ ବସି ଶିକ୍ଷା ଗ୍ରହଣ କରିବା ପାରିବେ ବୋଲି କୁହାଯାଇଛି।ଆଜି ପୁଣି ଅଭିଭାବକ ଏହଂ ଵାର୍ଡବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପୂରଣ ନହେଲେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।