ସଂଶୋଧନ ହେଲା ୫ମ ଶ୍ରେଣୀ ‘ପରିବେଶ ବିଜ୍ଞାନ’ ବହି : ସାପ କାମୁଡ଼ାକୁ ନେଇ ବହିରେ ଥିଲା ଭୁଲ ପାଠ

ଭୁବନେଶ୍ୱର : ପଞ୍ଚମ ଶ୍ରେଣୀ ‘ପରିବେଶ ବିଜ୍ଞାନ’ ବହିରେ ସାପ କାମୁଡ଼ା ପ୍ରତିକାର ସମ୍ବନ୍ଧୀୟ ଭୁଲ୍‌ ତଥ୍ୟ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପରେ ଗଣଶିକ୍ଷା ବିଭାଗ ଏଥିରେ ପରିବର୍ତନ ଆଣିଛି।

ଗତବର୍ଷ ଜୁଲାଇ ମାସରେ ଜଣେ ଶିକ୍ଷୟିତ୍ରୀ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ‘ବର୍ଷାରେ ସାପକୁ ସାବଧାନ’ ଶୀର୍ଷକ ଖବର ପଢ଼ିବା ପରେ ୫ମ ଶ୍ରେଣୀ ପରିବେଶ ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ ରହିଛି କି ବୋଲି ଜାଣିବାକୁ ଚାହିଁଥିଲେ। ଏନେଇ ସେ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରିବା ପରେ ଶ୍ରୀ ମଲ୍ଲିକ ବହିରେ ଲେଖା ଯାଇଥିବା ନିର୍ଦେଶନାମାରେ ତ୍ରୁଟି ରହିଥିବା କହିଥିଲେ।

ସୂଚନା ଥାଉକି ସାପ କାମୁଡ଼ିଥିବା ଅଂଶର ତଳ ଓ ଉପର ଭାଗକୁ କପଡ଼ା ସୂତା ଅବା ଦଉଡ଼ିରେ ଶକ୍ତ କରି ବାନ୍ଧି ଦେବାକୁ ବହିରେ ଉଲ୍ଲେଖ କରାଯାଇଥିଲା। ପୁଣି ବାନ୍ଧି ଦେବା ପରେ ରକ୍ତ ଝରୁଥିବା ଅଂଶକୁ ଚିପି ବିଷାକ୍ତ ରକ୍ତ ବାହାର କରିଦେବା ଉଚିତ ବୋଲି ବହିରେ ଲେଖାଯାଇଥିଲା। ମାତ୍ର ‘ଇଣ୍ଡିଆନ୍‌ ନାସ୍‌ନାଲ୍‌ ସ୍ନେକ୍‌ବାଇଟ୍‌ ପ୍ରୋଟୋକଲ୍‌’ ଅନୁଯାୟୀ ସାପ କାମୁଡ଼ିଥିବା ସ୍ଥାନକୁ ବାନ୍ଧିବା ଦ୍ୱାରା ଏହା ଅତି ବିପଦଜନକ ସାବ୍ୟସ୍ତ ହୋଇଥାଏ ବୋଲି ଉଲ୍ଲେଖ ରହିଛି। ଏନେଇ ସେତେବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ମେଡିସିନ୍‌ ସ୍ପେସାଲିଷ୍ଟ୍‍ ଡ.ନିରଂଜନ ପାଢ଼ୀ କହିଥିଲେ ଯେ, ସାପ କାମୁଡ଼ିବା ପରେ ବିଷ ରକ୍ତ ଦ୍ୱାରା ଆଦୌ ବ୍ୟାପେ ନାହିଁ। ବରଂ ଆମ ଶରୀରର ଚର୍ମ ତଳେ ଥିବା ଲାସା ଗ୍ରନ୍ଥି ଦ୍ୱାରା ପ୍ରବାହିତ ହୋଇଥାଏ। ତେଣୁ ଏହାକୁ ଭିତ୍ତିକରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପୁସ୍ତକ ପ୍ରକାଶନ କରୁଥିବା ଏସ୍‌ସିଇଆର୍‌ଟି ପୁସ୍ତକରେ ରହିଥିବା ସାପ କାମୁଡ଼ା ପ୍ରତିକାର ନିର୍ଦେଶାବଳୀ ତ୍ରୁଟିକୁ ସୁଧାରିଛନ୍ତି।

ଆସନ୍ତା ବର୍ଷ ପାଠ୍ୟକ୍ରମ ବେଳକୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ସଂଶୋଧିତ ପୁସ୍ତକ ପାଇବେ। ଏନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଗଣଶିକ୍ଷା ବିଭାଗ ଏବଂ ଏସ୍‌ସିଇଆର୍‌ଟି ତତ୍କାଳ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିବାରୁ ସାଧୁବାଦ ଜଣାଇଛନ୍ତି। ଏହା ଦ୍ୱାରା ଅନେକ ପିଲା ସାପ କାମୁଡ଼ା ପରେ ପ୍ରତିକାର ସମ୍ବନ୍ଧୀୟ ଯେଉଁ ଭୁଲ୍‌ ପାଠ ପଢ଼ୁଥିଲେ ତାହା ଅନ୍ତତଃ ଆଉ ହେବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ଏହି ନୂତନ ପରିବେଶ ବିଜ୍ଞାନ ବହିରେ ଏଥର ବିପର୍ଯ୍ୟୟ ସୁରକ୍ଷାକୁ ମଧ୍ୟ ଏକ ପ୍ରସଙ୍ଗ ଭାବେ ପୁସ୍ତକରେ ସ୍ଥାନିତ କରାଯାଇଥିବାରୁ ଏହାଦ୍ୱାରା ମଧ୍ୟ ପିଲାମାନେ ଅନେକ କିଛି ଜାଣିବାର ସୁଯୋଗ ପାଇବେ ବୋଲି ଏସ୍‌ସିଇଆର୍‌ଟିର ସହ ନିର୍ଦେଶକ ସବିତା ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର