ସମ୍ବଲପୁର : ସମ୍ବଲପୁରର ବୈଦିକ ଇଣ୍ଟରନେସ୍ନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ନନ୍ଦ ଡ୍ରିମ୍ସ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଏବେ ପୁଣି ଷଷ୍ଠ ଶ୍ରେଣୀର ଛାତ୍ର ଶ୍ଲୋକ ଅଗ୍ରୱାଲ ଲଣ୍ଡ୍ରି ଆପ୍ ତିଆରି କରି ନିଜ କମାଲ୍ ଦେଇଛନ୍ତି। ସେ କେବଳ ନିଜ ସ୍କୁଲର ଗୌରବ ବଢ଼ାଇଛନ୍ତି ତାହା ନୁହେଁ, ସମ୍ବଲପୁର ତଥା ଓଡ଼ିଶା ପାଇଁ ମଧ୍ୟ ସେ ସୁନାମ ଆଣିଛନ୍ତି। ଅନ୍ଲାଇନ୍ ଜିନିଷ କ୍ରୟରେ ଆପ୍ ମାଧ୍ୟମରେ ନିଜ ଜିନିଷ ଟ୍ରାକ୍ କରିବା ଭଳି ଏଣିକି ଏହି ଆପ୍ ଜରିଆରେ ଲଣ୍ଡ୍ରିକୁ ଦିଆଯାଇଥିବା ଲୁଗା ସଂପର୍କରେ ମଧ୍ୟ ଟ୍ରାକ୍ କରିହେବ। ଏହି ଆପ୍ରେ ଲୁଗା ଦେବା, ଲୁଗା ଗ୍ରହଣ କରିବା, କେଉଁ ଲୁଗା ସଫେଇ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆଦି ସଂପର୍କରେ ସହଜରେ ଜାଣିହେବ। ଏହାର ପରିଚାଳନା ବି ଖୁବ୍ ସହଜ ବୋଲି ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଡାଉନ୍ ସମୟରେ ସ୍କୁଲ ବନ୍ଦ ଥିବା ବେଳେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ଲୋକ ଏହି ଆପ୍ ତିଆରି କରିଛନ୍ତି। ଏହି ଆପ୍ ତିଆରି ପାଇଁ ତାଙ୍କୁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ସମ୍ବଲପୁର ଗୋଲଜବାର ନୟାପଡ଼ା ନିବାସୀ ବ୍ୟବସାୟୀ ବିମଳ ଅଗ୍ରୱାଲ ଓ ଜିନିଆ ଅଗ୍ରୱାଲଙ୍କ ସୁପୁତ୍ର ଶ୍ଲୋକଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ଓ ସ୍କୁଲର ଅଧ୍ୟକ୍ଷ ପାର୍ଥୋ ମୁଖାର୍ଜୀ ମଧ୍ୟ ଏଥିପାଇଁ ଶ୍ଲୋକଙ୍କୁ ଶୁଭେଚ୍ଛା ଦେବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏହି ଆପ୍କୁ ସ୍ବୀକୃତି ମିଳିଥିବା ବେଳେ ଏହା ଗୁଗୁଲ୍ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ଥିବା ଜଣାପଡ଼ିଛି।