ସାହାଯ୍ୟ କରିବାକୁ ଯାଇଥିଲେ, ଗାଡ଼ି ତଳେ ଚାଲିଗଲା ଜୀବନ

ଜଳେଶ୍ୱର : ମୃତ୍ୟୁ କାହା ପାଇଁ କେମିତି! ସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟବାକୁ ଯାଉଥିଲେ। ବାଟରେ ଇଟା ବୋଝେଇ ଭୁଟୁଭୁଟି ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, ଶୁକ୍ରବାର ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚୀ ବେହେରା, ସହପାଠୀ ଅକ୍ଷୟ ହାଜିରା ଓ ସୁବାସ ସାହୁ ତିନିଜଣ ମିଶି ସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନୂଆବଜାର ଯାଉଥିଲେ। ଏହି ସମୟରେ ଲକ୍ଷ୍ମଣନାଥରୁ ଆସୁଥିବା ଏକ ଇଟା ବୋଝେଇ ଭୁଟୁଭୁଟି ନୂଆବଜାର ରେଳ ଫାଟକ ନିକଟରେ ଛିଡ଼ା ହୋଇଥିଲା। ଅତ୍ୟଧିକ ଲୋଡ୍‌ ଯୋଗୁଁ ଗାଡ଼ି ଆଗକୁ ଯାଇ ନପାରିବାରୁ ସବ୍ୟସାଚୀ ଓ ତାଙ୍କ ଦୁଇ ସହପାଠୀଙ୍କୁ ଗାଡ଼ି ଚାଳକ ସହାୟତା ମାଗି ପଛ ଚକାରେ ଇଟାଖଣ୍ଡ ରଖିବାକୁ ଅନୁରୋଧ କରିଥିଲେ। ସବ୍ୟସାଚୀ ଚକା ତଳେ ଇଟା ରଖୁଥିବାବେଳେ ହଠାତ ଗାଡ଼ିଟି ସବ୍ୟସାଚୀଙ୍କ ଉପରେ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଗାଡ଼ି ତଳୁ ଉଦ୍ଧାର କରି ଜିକେ ଭଟ୍ଟର ଡାକ୍ତରଖାନା ଏବଂ ସେଠାରୁ ବାଲେଶ୍ବର ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରୁ ଅନ୍ୟ ଦୁଇ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

zeenews.india.com

ସବ୍ୟସାଚୀଙ୍କ ଘର ଶିଖରପୁର ପଞ୍ଚାୟତ ରାଜନଗର ଗାଁରେ। ସେ ତାଙ୍କ ବାପାମା’ଙ୍କର ଏକମାତ୍ର ପୁତ୍ର ଥିଲେ। ପୁଅର ଏଭଳି ଆକସ୍ମିକ ମୃତ୍ୟୁରେ ବାପା ଶମ୍ଭୁନାଥ ବେହେରାଙ୍କ ସମେତ ପରିବାର ଲୋକେ ହତବାକ୍ ହୋଇ ଯାଇଛନ୍ତି। ପୁଅର ମୃତଦେହକୁ ଧରି ସବ୍ୟସାଚୀଙ୍କ ମା’ ଯେମିତି ବିକଳ କ୍ରନ୍ଦନ କରୁଥିଲେ ସେଥି‌ରେ ସାହି ପଡ଼ୋଶୀ, ଗ୍ରାମବାସୀ ବି କୋହ ସମ୍ବରଣ କରିପାରିନଥିଲେ। ସବ୍ୟସାଚୀଙ୍କ ଅକାଳ ବିୟୋଗରେ ଟାଉନ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର