ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ: ମନ୍ତ୍ରୀ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଏବେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଏବେ ନୂଆ ଷ୍ଟ୍ରେନ୍‌କୁ ନେଇ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ିଛି। ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ପରି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ କେତେକ ସ୍ଥାନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ପୁନର୍ବିଚାର କରାଯାଉଛି। ଫେବ୍ରୁଆରି ୨୩ରେ ଖୋଲିବାକୁ ଯୋଜନା କରାଯାଇଥିଲା। ତେବେ ଦେଶରେ ନୂଆ ସଂକ୍ରମଣ ବଢ଼ୁଥିବାରୁ ଚିନ୍ତା ପ୍ରକଟ କରାଯାଇଛି। ବିଶେଷକରି ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥିବାରୁ ଓଡ଼ିଶା ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି। ସେଠାରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ, ସେନେଇ ତଦାରଖ କରୁଛନ୍ତି। ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯେପରି କରୋନା ଆକ୍ରାନ୍ତ ନ ହୁଅନ୍ତି, ସେଥିପ୍ରତି କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟରେ କରୋନା ପ୍ରକୋପ କମିବା ପରେ ଜାନୁଆରି ମାସରୁ ଧୀରେଧୀରେ ଶିକ୍ଷାନୁଷ୍ଠାନ ଖୋଲୁଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ବିଦ୍ୟାଳୟ ଖୋଲିବା ସହ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିଲା। ‌ପରେ ଫେବ୍ରୁଆରିରେ ନବମ, ଏକାଦଶ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲାଯାଇ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ରାଜ୍ୟରେ କରୋନା ସଂକ୍ରମଣ ବହୁତ କମ୍‌ ରହୁଥିବାରୁ ଖୁବ୍‌ଶୀଘ୍ର ପ୍ରଥମରୁ ୮ମ ଶ୍ରେଣୀ ଖୋଲିବ ବୋଲି ଆଶା କରାଯାଉଥିଲା। ତେବେ ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମାର୍ଚ୍ଚ ମାସରେ ଖୋଲିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର