ଆସନ୍ତା ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ ଯାଏ କ୍ଲାସ ଖୋଲୁଛି: ଦ୍ବନ୍ଦ୍ୱ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କୌଣସି ଦ୍ବନ୍ଦ୍ୱ ନାହିଁ। ଆସନ୍ତା ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ ଯାଏ କ୍ଲାସ ଖୋଲୁଛି। ଏକଥା କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ ଆହୁରି ମଧ୍ୟ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ ବିଇଓମାନଙ୍କର ବୈଠକ ନେଇଛନ୍ତି। ସ୍କୁଲ ଖୋଲିବା ପରେ ଆସନ୍ତା ୪ ତାରିଖରେ ଫଲ୍ ଆଉଟ୍ ସମ୍ପର୍କରେ ମୁଁ ମଧ୍ୟ ଡିଇଓମାନଙ୍କର ବୈଠକ ନେବି। ଯିଏ ଚାହିଁବେ ଅନଲାଇନରେ ପଢ଼ିବେ। ଭିତ୍ତିଭୂମିକୁ ନଜରରେ ନିଷ୍ପତ୍ତି ନିଆଯାଇଛି। ସ୍କୁଲ କ୍ୟାମ୍ପସ ବି ସ୍ୱଚ୍ଛ କରାଯାଇଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି।

ପିଲାଙ୍କୁ ଗହଳି ସ୍ଥାନରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ନିବେଦନ କରାଯାଇଛି। ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି। ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ଓ ଫଳ ଠିକ୍ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରିଛି ଗଣଶିକ୍ଷା ବିଭାଗ। ପିଲାମାନେ ବି ପ୍ରସ୍ତୁତ ରୁହନ୍ତୁ।

ସୂଚନାଯୋଗ୍ୟ, ଗତ ପୂଜା ଛୁଟି ପରେ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିଲା। ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିଥିଲେ। ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ବିଶେଷକରି କରୋନାକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନୁଷ୍ଠିତ ହେବାକୁ ଥିବାରୁ ଅଧିକାଂଶ କ୍ୟାମ୍ପସରେ ଆଜି ବିଶୋଧନ ହୋଇଥିଲା।

ସମ୍ବନ୍ଧିତ ଖବର