ଅବିନାଶ ଶର୍ମା
କୋଇଡ଼ା: ରାସ୍ତା ପାଇଁ ପିଢ଼ି ପରେ ପିଢ଼ି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତ କଦମଡିହି ଗାଁର ପିଲାମାନେ। ଗାଁ ସ୍କୁଲରେ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା। ୨୦୨୨ରେ ସରକାର ଅପ୍ଗ୍ରେଡ୍ କରି ଅଷ୍ଟମ ଯାଏଁ ଖୋଲିଲେ। ସେଇଠି ସରିଗଲା ଗାଁ ପିଲାଙ୍କ ଭବିଷ୍ୟତ ନିର୍ମାଣ, ବନ୍ଧା ହୋଇଗଲା ବସ୍ତାନିରେ ଡୋରି। କୋଇଡ଼ା ବ୍ଲକ୍ ମୁଖ୍ୟାଳୟରୁ ପ୍ରାୟ ୧୭ କିମି ଦୂର ପାହାଡ଼ ପାଦଦେଶରେ କେନ୍ଦୁଝର ଜିଲ୍ଲାକୁ ଲାଗି କଦମଡିହି ଗ୍ରାମ। ଗାଁରେ ଝାଟିମାଟି କୁଡ଼ିଆରେ ରହନ୍ତି ଶତାଧିକ ପରିବାର। ପଞ୍ଚାୟତ କାର୍ଯ୍ୟାଳୟ ପାଟମୁଣ୍ଡାରୁ କଦମଡିହିକୁ ୭ କିମି ପାହାଡ଼ି ରାସ୍ତା। ଚାଲିଚାଲି ଗଲେ ଦୁର୍ଘଟଣା ଓ ହାତୀ ଭୟ। କୌଣସି ଯାନବାହନ ଏପରିକି ଦୁଇଚକିଆ ବି ଯିବା ଅସମ୍ଭବ। ରୋଗୀକୁ ଦୋଳା କରି ପାଟମୁଣ୍ଡା ପଞ୍ଚାୟତ ମହକୁମା ପର୍ଯ୍ୟନ୍ତ ନିଆଯିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ନେବାକୁ ପଡ଼େ। ବର୍ଷାଦିନେ ସମସ୍ୟା ଆହୁରି ଗୁରୁତର ହୁଏ। ଗାଁ ସ୍କୁଲରେ ପୂର୍ବରୁ ପଞ୍ଚମ ଯାଏଁ ଥିଲା। ତେଣୁ ପଞ୍ଚମ ପରେ ଗାଁ ପିଲାଙ୍କ ପାଠ ବନ୍ଦ ହୋଇଥିବାବେଳେ ୨୦୨୨ରୁ ଅଷ୍ଟମରେ ବନ୍ଦ ହୋଇଛି। ଏମିତି ନୁହେଁ ଯେ ପୂର୍ବରୁ କେହି ପାଟମୁଣ୍ଡା ହାଇସ୍କୁଲରେ ଆଡ୍ମିସନ୍ ହୋଇନାହାନ୍ତି, କିନ୍ତୁ ରାସ୍ତା ଯୋଗୁ ସେଇଠି ମରିଯାଇଛି ସ୍ବପ୍ନ। ସ୍କୁଲ ଯାଇ ନ ପାରି ପାଠ ଛାଡ଼ିଛନ୍ତି। ଏବେ ଗାଁ ସ୍କୁଲରେ ପିଲାସଂଖ୍ୟା ପ୍ରାୟ ଦେଢ଼ଶହ। କିନ୍ତୁ ସେମାନଙ୍କ ଭବିଷ୍ୟତ ବି ଅନ୍ଧାର। ଚଳିତବର୍ଷ ସାହସ କରି ଗାଁର ବ୍ରହ୍ମାନନ୍ଦ ପଲେଇଙ୍କ ଝିଅ ବନିତା ପାଟମୁଣ୍ଡା ହାଇସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି। ତାଙ୍କ ଅଭିଭାବକ ବହୁ ଶ୍ରମ କରି ତାଙ୍କୁ ନେବାଆଣିବା କରୁଥିବା ଜଣାପଡ଼ିଛି।
ଗାଁର ଆଉ ଏକ ମୁଖ୍ୟ ସମସ୍ୟା ହେଲା ପାନୀୟଜଳ। ଖଣି ଅଞ୍ଚଳ ହୋଇଥିବାରୁ ନଳକୂଅରୁ ବ୍ୟବହାର ଅଯୋଗ୍ୟ ନାଲିପାଣି ବାହାରେ। ତେଣୁ ଗ୍ରାମବାସୀ ଝରଣାପାଣି ଉପରେ ନିର୍ଭରଶୀଳ। ଗାଁକୁ ବିଜୁଳି ପହଞ୍ଚିନି। ସରକାର ସୋଲାର ଲାଇଟ୍ ବ୍ୟବସ୍ଥା କରିଥିଲେ। କିନ୍ତୁ ଖଣି ଅଞ୍ଚଳ ହୋଇଥିବାରୁ ତାହା ମଧ୍ୟ କାମରେ ଆସୁନି। ଦୀର୍ଘବର୍ଷ ଧରି ଗ୍ରାମବାସୀ, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ନିକଟରେ ରାସ୍ତା ପାଇଁ ଗୁହାରି କରିଛନ୍ତି, କିନ୍ତୁ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳିନି ବୋଲି କହିଛନ୍ତି ଗ୍ରାମର ହିରଣ୍ୟ ବାରିକ।
ଏ ନେଇ ବିଡିଓ ସମରେନ୍ଦ୍ର କୁମାର ସର କହିଛନ୍ତି, କଦମଡ଼ିହି ରାସ୍ତା ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ପ୍ରଶାସନ ଅବଗତ ଅଛି। କନିଷ୍ଠଯନ୍ତ୍ରୀ ପାଟମୁଣ୍ଡା ପଞ୍ଚାୟତ ରାସ୍ତା ସର୍ଭେ କରିଛନ୍ତି। ଖୁବ୍ଶୀଘ୍ର ରାସ୍ତା ନିର୍ମାଣ କରାଯିବ। ଅନ୍ୟପଟେ କଦମଡ଼ିହିରେ ରାସ୍ତା, ପାଣି, ବିଜୁଳି ନଥିବା ଯୋଗୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ସମସ୍ୟା ହେଉଛି। ରାସ୍ତା ଓ ବିଜୁଳି ସୁବିଧା ହେଲେ ଡ୍ରପ୍ଆଉଟ୍ କମିବ। ଯଦି ନିକଟରେ ତାହା ସମ୍ଭବପର ନହୁଏ, କଦମଡ଼ିହି ବିଦ୍ୟାଳୟକୁ ଦଶମ ଯାଏଁ ଅପ୍ଗ୍ରେଡ୍ କରାଯିବ ବୋଲି କହିଛନ୍ତି ବିଇଓ ଅଭିମନ୍ୟୁ ବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/sfhfhshfsxbvbvbv-2025-11-07-00-39-52.jpg)